ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରି ଚଳିତ ଦିନିକିଆ ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିଛି ଭାରତ। ଗତକାଲିର ଏହି ମ୍ୟାଚ୍କୁ ଜିତିବାରେ ବିରାଟ କୋହଲି ଓ କେ.ଏଲ୍ ରାହୁଲଙ୍କର ପ୍ରମୁଖ ଭୂମିକା ରହିଥିଲା। ବିରାଟ ୮୫ ରନ୍ କରି ଆଉଟ୍ ହୋଇଥିବା ବେଳେ କେ.ଏଲ୍ ରାହୁଲ ୯୭ ରନ୍ କରି ଅପରାଜିତ ରହିଥିଲେ। ତେବେ ୮୫ ରନ୍ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିରାଟ କୋହଲ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛନ୍ତି। ସେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି।
ଆଇସିସି ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡ଼ିକ (ବିଶ୍ୱ କପ୍, ଟି୨୦ ବିଶ୍ୱ କପ୍, ଚାମ୍ପିୟନ୍ସ ଟ୍ରଫି)ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଯାଇଛନ୍ତି ବିରାଟ କୋହଲି। ସେ ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ସେ ୫୮ଟି ଇନିଂସରୁ ୨୭୧୯ ରନ୍ ସଂଗ୍ରହ କରିଥିଲେ। ସଚିନ ଦିନିକିଆ କ୍ରିକେଟ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ସଂଗ୍ରହ କରିଥିଲେ। ସେହିପରି ଚାମ୍ପିୟନ୍ସ ଟ୍ରଫିରେ ସେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ।
ସେପଟେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ ୬୨ଟି ଇନିଂସରୁ ୧୭୦୭ ରନ୍ ଓ ସୌରଭ ଗାଙ୍ଗୁଲି ୩୨ଟି ଇନିଂସରୁ ୧୬୭୧ ରନ୍ କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।