(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସୁପ୍ରିମକୋର୍ଟ ବାହାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଓ ପୁରୁଷ ନିଜର ଜୀବନ ନେବାକୁ ଶରୀରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଜଣେ ମହିଳା ସୁପ୍ରିମକୋର୍ଟର ଗେଟ୍ ନମ୍ବର ଡି ସମ୍ମୁଖରେ ନିଜକୁ ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି। ତାଙ୍କୁ ତୁରନ୍ତ ପୋଲିସ ଭ୍ୟାନ୍ ଯୋଗେ ରାମ ମନୋହର ଲୋହିଆ ହସ୍ପିଟାଲ ନିଆଯାଇଥିଲା। ଏହି ଘଟଣା ଘଟିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗେଟ୍ ନମ୍ବର ଡି’ରୁ ଭିତରକୁ ପଶିବାର ସେମାନେ ଚେଷ୍ଟା କରିଥିଲେ। କିନ୍ତୁ ପର୍ଯ୍ୟାପ୍ତ ପରିଚୟ ପତ୍ର ନ ଥିବାରୁ ସେମାନଙ୍କୁ କୋର୍ଟ ପରିସରରେ ପ୍ରବେଶ କରିବାକୁ ମନା କରାଯାଇଥିଲା। ତା’ପରେ ଦୁହେଁ ସେଠାରେ ନିଜ ଶରୀରରେ ନିଆଁ ଲଗାଇଦେଇଥିଲେ।
ନିଆଁ ଲାଗିବା ମାତ୍ରେ ସେହି ସ୍ଥାନରେ ଆତଙ୍କ ସୃଷ୍ଟି ହୋଇଥିଲା। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ କୌଣସି ପ୍ରକାରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଏବଂ ଆହତମାନଙ୍କୁ ପୋଲିସ ଭ୍ୟାନରେ ଡାକ୍ତରଖାନାକୁ ନେଇଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯେତେବେଳେ ପୁରୁଷ ଓ ମହିଳା ଆସିଲେ, ସେମାନଙ୍କ ହାତରେ ଏକ ବୋତଲ ଥିଲା | ଏହି ବୋତଲ ଭିତରେ କିଛି ଜ୍ୱଳନ୍ତ ପଦାର୍ଥ ଅଛି ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚେଷ୍ଟା କରୁଛି।