ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂସଦର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ୪ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହି ଶୀତ ଅଧିବେଶନରେ ମୋଟ ୧୫ଟି ଅଧିବେଶନ ହେବ ଏବଂ ଏହା ୧୯ ଦିନ ପର୍ଯ୍ୟନ୍ତ ଚାଲିବ। ଅମୃତ କାଳ ସମୟରେ ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଏବଂ ଅନ୍ୟ ବିଷୟରେ ଆଲୋଚନା ହେବ ବୋଲି ଯୋଶୀ କହିଛନ୍ତି।
ଶୀତ ଅଧିବେଶନରେ ସରକାର ଭାରତୀୟ ଦଣ୍ଡ ସଂହିତା ସଂକ୍ରାନ୍ତ ବିଲ୍ ମଧ୍ୟ ଆଗତ କରିପାରନ୍ତି। ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଉପରେ ମଧ୍ୟ ଚର୍ଚ୍ଚା ହେବା ସମ୍ଭାବନା ରହିଛି। ଏହି ବିଲ୍ରେ ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ କ୍ୟାବିନେଟ ସଚିବ ପାହ୍ୟାର କରାଯିବାକୁ ପ୍ରାବଧାନ ରହିଛି। ଏହି ବିଲ୍କୁ ବିରୋଧ କରି ବିରୋଧୀ ଦଳମାନେ କହିଛନ୍ତି ଯେ ସରକାର ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ କବ୍ଜା କରିବାକୁ ଚାହୁଁଛନ୍ତି।