ସତ୍ୟପାଠ ବ୍ୟୁରୋ, ୧୦/୦୧ : ଓଡିଶl ସରକାରଙ୍କ ଯେତେ ସବୁ ବିଭାଗ ଅଛି ତା ଭିତରୁ ଯେଉଁ ବିଭାଗରେ ଗୋଳକାଧନ୍ଦା ସବୁଠାରୁ ଅଧିକ ସେହି ବିଭାଗ ଟି ହେଉଛି ଶକ୍ତି ବିଭାଗ। ଗତ ୩୧ ଡ଼ିସେମ୍ବର ୨୦୨୧ ଦିନ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଉଠିଛି ବିବାଦ। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତ ନିଷ୍ପତ୍ତିକୁ ସରକାର ଏବେ କାଠଗଡ଼ାରେ। ମାମଲା ଏବେ ହାଇକୋର୍ଟରେ। ସରକାରଙ୍କ ନିଷ୍ପତ୍ତିକୁ ଏକତରଫା, ବେଆଇନ ଏବଂ ଅସାମ୍ବିଧାନିକ କହି ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ଖାଲି ସେତିକିନୁହେଁ, ମାନ୍ୟବର ହାଇକୋର୍ଟ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ରୋକ୍ ଲଗାଇବା ପରେ ଶକ୍ତି ବିଭାଗ ଉପରେ ଲାଗିଛି କଳା।
ମାମଲା ଟି କଣ?
ଗତ ୨୧/୦୧/୨୦୨୦ ରେ ଶକ୍ତି ବିଭାଗ ଜନୈକ ସମୀର କୁମାର ସ୍ବାଇଁ ଙ୍କୁ ଓଡିଶl ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ ( ଓପିଟିସିଏଲ ) ର ଡ଼ାଇରେକ୍ଟର ଫାଇନାନ୍ସ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଲା।ଏବଂ ଏଥିପାଇଁ ସଂପୃକ୍ତ ସମୀର ସ୍ବାଇଁ ଙ୍କୁ ନିଯୁକ୍ତି ଲେଟର ଦେବାକୁ କର୍ପୋରେସନ କୁ କହିଲା। ତଦନୁଯାୟୀ ୨୭ ଜାନୁୟାରୀ ୨୦୨୦ ରେ ଓପିଟିସିଏଲ ସମୀର ସ୍ବାଇଁ ଙ୍କୁ ୧,୩୫, ୧୦୦ – ୨,୧୬,୮୦୦ ଟଙ୍କା ଦରମା ସ୍କେଲ ରେ ୫ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଲେଟର ଦେଲା। ଚାକିରୀ ସର୍ତ୍ତାବଳୀ ଅନୁଯାୟୀ, ଚାକିରୀ ଅବଧି ୫ ବର୍ଷ ବା ଅବସର ବୟସ ଯେଉଁଟା ଆଗ।
କିନ୍ତୁ ହଠାତ୍ ୨୦୨୧ ବର୍ଷ ର ଶେଷ ଦିନରେ ଅର୍ଥାତ୍ ୩୧ ଡିସେମ୍ବର ୨୦୨୧ ଦିନ ବିଭାଗ ସମୀର ସ୍ବାଇଁ ଙ୍କୁ ଚାକିରୀ ରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ସମୀର ସ୍ୱାଇଁଙ୍କ ଟର୍ମିନେଶନ ଲେଟର ରେ ଯେଉଁ କାରଣ ଟି ଦର୍ଶାଇଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ। ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ ସମୀର ସ୍ବାଇଁ, ଡ଼ାଇରେକ୍ଟର ଫାଇନାନ୍ସ ଭାବେ ସରକାର ଏବଂ ଓପିଟିସିଏଲ ପାଇଁ ବହୁ କ୍ଷତିକାରକ। ତେଣୁ ତାଙ୍କୁ ଟର୍ମିନେଶନ ଲେଟର ଇସ୍ୟୁ ହେବା ମାତ୍ରେ ଚାକିରୀ ରୁ ବିଦା କରାଯାଉ ନଚେତ୍ ସେ ବ୍ୟକ୍ତି ସଂସ୍ଥା ର କ୍ଷତି କରିବେ
ସ୍ବାଇଁଙ୍କୁ ହଠାତ୍ ବିଦା କରିବା ପଛର କାରଣ କଣ?
ଆଶ୍ଚର୍ଯ୍ୟର କଥା, ୨,୧୬,୮୦୦ ଟଙ୍କା ଦରମା ରେ ଥିବା ଫାଇନାନ୍ସ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ସେଲ୍ ର ଡ଼ାଇରେକ୍ଟର ପଦବୀ ର ଜଣେ ବରିଷ୍ଠ ଅଧିକାରୀଙ୍କୁ ସରକାର ଏଭଳି ତରବରିଆ ଭାବେ ଧକ୍କା ମାରିବା ଭଳି ବ୍ୟବହାରରେ ଚାକିରୀରୁ ତଡ଼ିବା ନିଷ୍ପତ୍ତି ନେଲେ କାହିଁକି? ବର୍ଷେ ତଳେ ଯାହାଙ୍କ ବାବଦରେ ସବୁକିଛି ତନାଘନା କରି ନିଯୁକ୍ତି ଦେଇଥିଲେ ବର୍ଷେ ପୂରିବା ପୂର୍ବରୁ ଅକସ୍ମାତ୍ ତଡ଼ିଲେ କାହିଁକି। ଗୁରୁତ୍ବପର୍ଣ୍ଣକଥା ହେଲା, ଜଣେ ଏଭଳି ବରିଷ୍ଠ ଅଧିକାରୀ ଙ୍କୁ ସରକାର ବିଭାଗ ପ୍ରତି କ୍ଷତିକାରକ ଭଳି ଅଭିଯୋଗରେ ଚାକରୁ ତୁରନ୍ତ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ମାତ୍ର ଅଭିଯୋଗର ଆଧାର କଣ ସେ ବାବଦରେ ପଦୁଟିଏ ବି ଲେଖିନାହାନ୍ତି। ଏଭଳି ଅଭିଯୋଗର ନିର୍ଦ୍ଦିଷ୍ଟ ଆଧାର ବିନା ମନଇଚ୍ଛା ସରକାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିପାରିବେ ନାହିଁ। ଏ କଥା ସରକାରୀ ଚାକିରୀ ସର୍ତ୍ତାବଳୀ ରେ ସ୍ପଷ୍ଟ ଉଲ୍ଲେଖ ଅଛି। ତାସତ୍ଵେ ସରକାର ରାତିଅଧିଆ ସମୀର ସ୍ୱାଇଁଙ୍କ ନାଁରେ ଟର୍ମିନେଶନ କାଢିବା ପଛର କାରଣ କଣ? ତାହା ଏବେ ବି ଅସ୍ପଷ୍ଟ।
ସରକାରଙ୍କୁ ଝଟକା
ସରକାର ୩୧ ଡ଼ିସେମ୍ବର ୨୦୨୧ ରେ ବରଖାସ୍ତ ଚିଠି ବାହାର କଲେ। ଏଭଳି ନିଷ୍ପତ୍ତି ଏକତରଫା, ମନମୁଖୀ ଏବଂ ଅସାମ୍ବିଧାନିକ ଦର୍ଶାଇ ସମୀର ସ୍ଵାଇଁ ହାଇକୋର୍ଟରେ ପିଟିସନ ଟେ ଦାଖଲ କଲେ। ଏବଂ ଏଥିରେ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ଯେ ସରକାର ପ୍ରମାଣ ରଖନ୍ତୁ ଯେ ସେ କିଭଳି ବିଭାଗ ପ୍ରତି କ୍ଷତିକାରକ। ତା ଛଡ଼ା ଗତ ବର୍ଷେ ହେଲା ଯେବେଠୁ ସେ ଡ଼ାଇରେକ୍ଟର ଫାଇନାନ୍ସ ଭାଵରେ ଯୋଗଦେଇଛନ୍ତି ସେବେଠୁ ୩୧ ଡ଼ିସେମ୍ବର ମଧ୍ୟରେ କୌଣସି ଭୁଲ କାର୍ଯ୍ଯ ବା ନିଷ୍ପପା ଇଁ ବିଭାଗୀୟ ଉପରିସ୍ଥ ଅଧିକାରୀ ତାଙ୍କୁ କେବେ ବି ଥରୁଟିଏ କାରଣ ଦର୍ଶାଅ ନୋଟିସ ଟେ ଜାରି କରିନାହାନ୍ତି। ତେବେ ହଠାତ୍ ବିନା ସୋ-କଜ୍ ରେ ତାଙ୍କୁ କାହିଁକି ଟର୍ମିନେଟ୍ କରାଗଲା ବୋଲି ସମୀର ସ୍ବାଇଁ ପ୍ରଶ୍ନ କରିଛନ୍ତି? ବରଖାସ୍ତ ନିଷ୍ପତ୍ତି ଯେ ସମ୍ପୂର୍ଣ୍ଣ ବେଆଇନ ଏବଂ ସରକାରଙ୍କ ଚାକିରୀ ସର୍ତ୍ତାବଳୀ କୁ ବିରୋଧ କରୁଛି ଏହାର ସମସ୍ତ ତଥ୍ୟ ପ୍ରମାଣ ଅଦାଲତ ରେ ପେସ କରିଛନ୍ତି। ମଜାର କଥା, ଯେଉଁ ଅଧିକାରୀଙ୍କୁ ବିଭାଗର ସ୍ୱାର୍ଥ ପ୍ରତି କ୍ଷତିକାରକ କହି ତୁରନ୍ତ ଚାକିରୀରୁ ବହିଷ୍କାର କରିଥିଲେ, ମାନ୍ୟବର ଅଦାଲତ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ଏବେ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ସରକାର ସମୀର ସ୍ବାଇଁଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେବାପରେ ସରକାରଙ୍କ ମୁହଁରେ କଳା ଲାଗିଛି।
ଭିତିରି କଥା କଣ?
ସମୀର ସ୍ବାଇଁ ଙ୍କୁ ଓପିଟିସିଏଲ ରେ ବର୍ଷେ ତଳେ ଡ଼ାଇରେକ୍ଟର ଫାଇନାନ୍ସ ପଦରେ ନିଯୁକ୍ତି ଦେବା ଏବଂ ବର୍ଷେ ନ ପୁରୁଣୁ ଭୟଙ୍କର ଅଭିଯୋଗରେ ବାହାର କରିବାକୁ ନେଇ ବହୁ କଥା ଶୁଣିବାକୁ ମିଳୁଛି। ଗୋଟେ ସୋର୍ସ ର କହିବା କଥା ଯେ ଓପିଟିସିଏଲ ରେ ଯେଉଁ ଶହ ଶହ କୋଟି ର କାମ ଚାଲୁଛି ସେଥିରେ ସରକାର ନିଜ ଫାଇଦା ପାଇଁ ଯେଉଁ ହେରାଫେରି କରିଛନ୍ତି ସେ ସବୁକୁ କୁଆଡେ ସମୀର ସ୍ବାଇଁ ବିରୋଧ କରିଛନ୍ତି ଏବଂ ମନଇଚ୍ଛା ଆପ୍ରୋଭ କରିବାକୁ ମନା କରିବା କାରଣରୁ ହଟାଯାଇଛି।
ଅନ୍ୟ କାରଣ ଟି ଯେଉଁ ଆଲୋଚନା ହେଉଛି ସେଇଟା ହେଉଛି ଯେ ଡ଼ାଇରେକ୍ଟର ଫାଇନାନ୍ସ ଭାବରେ ସମୀର ସ୍ବାଇଁ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକି ଆର୍ଥିକ ଗୁରୁତର ଅନିୟମିତତା ସଂପୃକ୍ତ।
ତେବେ ବଡ ପ୍ରଶ୍ନ ହେଉଛି, ଯଦି ବାସ୍ତବରେ ସମୀର ସ୍ବାଇଁ ବିଭାଗ ପାଇଁ ଏତେ କ୍ଷତିକାରକ ତେବେ ସରକାର ତାଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଚାର୍ଜ କାହିଁକି ଫ୍ରେମ୍ କଲେନାହିଁ? ଯଦି ତାଙ୍କ ଭଳି ଅଧିକାରୀ ବାସ୍ତବରେ କ୍ଷତିକାରକ ତେବେ ପୁର୍ବରୁ ଗୋଟେ ହେଲେ ବି କେଶ୍ ରେ କାରଣ ଦର୍ଶାଅ ନୋଟିସ୍ ଟେ କାହିଁକି ଦେଇନାହାଁନ୍ତି? ସରକାରଙ୍କ ନୀରବତା ଦର୍ଶାଉଛି ଯେ ଶକ୍ତି ବିଭାଗ ଭିତରେ କିଭଳି କେଳେଙ୍କାରୀ ଚାଲୁଛି। ବଡ ବଡ଼ ପଦବୀରେ କିଭଳି ଚୟନ କରାଯାଉଛି ଏବଂ ନିଯୁକ୍ତି ଦିଆଯାଉଛି।