ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅବମାନନା ୟାଚିକା ଦାଏର, କାହିଁକି ହେଲା ମାମଲା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ ଦିଲ୍ଲୀ ପୁଲିସ କମିଶନର ଭାବରେ ରାକେଶ ଆସ୍ଥାନାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦ ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ ଏହି ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ। ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୃହ ମନ୍ତ୍ରାଳୟଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ଏବଂ ଉଭୟ ମୋଦୀ ଏବଂ ଅମିତ ଶାହା କୋର୍ଟ ଅବମାନନା କରିଥିବା ଦର୍ଶାଇଛନ୍ତି। ଆବେଦନକାରୀ ଓକିଲ ମୋହନଲାଲ ଶର୍ମା କହିଛନ୍ତି ଯେ ଜୁଲାଇ ୩୧ରେ ରାକେଶ ଆସ୍ଥାନା ଅବସର ଗ୍ରହଣ କରିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଆସ୍ଥାନାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ଦିଲ୍ଲୀ ପୁଲିସ ମୁଖ୍ୟଙ୍କ କାର୍ଯ୍ୟକାଳ ଅବଧି ବର୍ଷେ ବଢ଼ାଇଛନ୍ତି କେନ୍ଦ୍ର ସରକାର।ସେ ପେଗାସସ୍ ମାମଲାର ସ୍ବତନ୍ତ୍ର ଯାଞ୍ଚ ପାଇଁ ମଧ୍ୟ ଆବେଦନ ଦାଖଲ କରିଛନ୍ତି।। 

ଅସ୍ଥାନାଙ୍କ ନିଯୁକ୍ତି ସୁପ୍ରିମକୋର୍ଟ ୩ ଜୁଲାଇ ୨୦୧୮ରେ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରୁଛି ବୋଲି ଆବେଦନକାରୀ ତାଙ୍କ ଯାଚିକାରେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୁଲିସର ମୁଖ୍ୟ ପଦବୀରେ ଅବସ୍ଥାପିତ ଅଧିକାରୀ ଅବସର ଗ୍ରହଣ କରିବାର ତିନିମାସ ପୂର୍ବରୁ ୟୁପିଏସସିକୁ ଅବଗତ କରାଇବା ଆବଶ୍ୟକ। ଏବଂ ଅବସର ଗ୍ରହଣ କରିବା ପାଇଁ ଅତି କମରେ ଛଅ ମାସ ସମୟ ବାକି ଥିବା ଆବଶ୍ୟକ। ଏଭଳି ପରିସ୍ଥିତିରେ କୌଣସି ଅଧିକାରୀଙ୍କୁ ଡିଜିପି କରାଯିବା ଉଚିତ ନୁହେଁ।

 ଓକିଲ ପିଆଇଏଲରେ ଦାବି କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କର ସାମ୍ବିଧାନିକ ଅଧିକାର ହରାଇଛନ୍ତି।

 ସୁପ୍ରିମକୋର୍ଟର ଅତି କମରେ ୫ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଦ୍ୱାରା ଏହି ମାମଲାର ଯାଞ୍ଚ କରିବା ଦରକାର ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଏମିତି ନହଲେ ଏକ ସାମ୍ବିଧାନିକ ସଙ୍କଟ ଦେଖାଦେଇପାରେ ଏବଂ ଦେଶର ସଂସ୍ଥା ଗୁଡ଼ିକ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। 

 ଆବେଦନରେ ଯୁକ୍ତି ବାଢିଛନ୍ତି ଯେ ଯେହେତୁ କ୍ୟାବିନେଟର ନିଯୁକ୍ତି କମିଟିରେ ମୋଦି, ଶାହ ରହିଛନ୍ତି। ସେମାନଙ୍କ ନିଷ୍ପତ୍ତି କ୍ରମେ ରାକେଶ ଅସ୍ଥାନାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ତେଣୁ ଉଭୟଙ୍କ ବିରୋଧରେ କୋର୍ଟର ଅବମାନନା ରୁଜୁ ହେବା ଦରକାର ବୋଲି ସେ ଆବେଦନ କରିଛନ୍ତି । ଜୁଲାଇ ୨୭ରେ ଦିଲ୍ଲୀ ପୁଲିସ ମୁଖ୍ୟ ଭାବରେ ନିଯୁକ୍ତ ହେବା ପୂର୍ବରୁ ଆସ୍ଥାନା ସୀମା ସୁରକ୍ଷା ବଳ (ବିଏସଏଫ) ର ମହାନିର୍ଦ୍ଦେଶକ ଥିଲେ। ସେ ଗୁଜୁରାଟ କ୍ୟାଡରର ୧୯୮୪ ବ୍ୟାଚ ଆଇପିଏସ୍ ଅଧିକାରୀ। ରାକେଶ ଏହା ପୂର୍ବରୁ ସିବିଆଇର ନିର୍ଦ୍ଦେଶକ ମଧ୍ୟ ଥିଲେ।

ଅନ୍ୟପଟେ ଦିଲ୍ଲୀ ବିଧାନସଭା ଗୁରୁବାର ଆସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଏକ ପ୍ରସ୍ତାବ ପାରିତ କରିଛି। ଅବସର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀର ପୁଲିସ କମିଶନର ଭାବରେ ନିଯୁକ୍ତ କରାଯିବା ବେଆଇନ୍ ବୋଲି ଦିଲ୍ଲୀର ଆପ୍ ସରକାର କହିଛି। 

 ରାକେଶ ଅସ୍ଥାନା କିଏ ?

 କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତାଙ୍କର ଏହା ପଞ୍ଚମ ନିଯୁକ୍ତି ଥିଲା। ସେ ପୁଣି ଅବସର ନେବାର ମାତ୍ର ଚାରି ଦିନ ପୂର୍ବରୁ ।

 ମାତ୍ର ତିନି ବର୍ଷ ମଧ୍ୟରେ ରାକେଶ ଅସ୍ଥାନାଙ୍କୁ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତ କରାଯାଇଛି। ପ୍ରଶାସନିକ ସେବା ପରିସରରେ ଜଣେ ଅଧିକାରୀଙ୍କୁ ଏଭଳି ନିଯୁକ୍ତି ଦିଆଯିବା ଏହା ଅପ୍ରତ୍ୟାଶିତ ଘଟଣା ବୋଲି ବିବେଚନା କରାଯାଏ ।

 ଆସ୍ଥାନା ଏହା ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଯେତେବେଳେ ସିବିଆଇ ବନାମ ସିବିଆଇ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ।

 ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଅଧ୍ୟୟନ କରିଥିବା ଆସ୍ଥାନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କର ଜଣେ ଘନିଷ୍ଠ ଅଧିକାରୀ ଭାବେ ବିବେଚନା କରାଯାଏ ।

 ଯେତେବେଳେ କେନ୍ଦ୍ରରେ ମୋଦୀ ସରକାର ଗଠନ ହୋଇଥିଲା, ସେତେବେଳେ ଗୁଜୁରାଟରୁ ରାକେଶ ଅସ୍ଥାନାଙ୍କ ସମେତ ଅନ୍ୟ 20 ଜଣ ବରିଷ୍ଠ ଅଧିକାରୀଙ୍କୁ ଗୁଜରାଟରୁ ଦିଲ୍ଲୀ ଡକାଯାଇଥିଲା।

 ରାକେଶ ଅସ୍ଥାନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିଛନ୍ତି, ଯାହାକି ବର୍ତ୍ତମାନର ରାଜନୈତିକ ସମୀକରଣ ଦୃଷ୍ଟିରୁ ସ୍ୱତନ୍ତ୍ର ବିବେଚନା କରାଯାଏ। ଯେପରିକି ବହୁ ଚର୍ଚ୍ଚିତ ଗୁଜରାଟ ଗୋଦ୍ରା ଦଙ୍ଗା ଘଟଣାର ତଦନ୍ତ, ଚାରା ଦୁର୍ନୀତି, ଅହମ୍ମଦାବାଦ ବୋମା ବିସ୍ଫୋରଣ ଏବଂ ଆସାରାମ ବାପୁଙ୍କ ବିରୋଧରେ ତଦନ୍ତ।

Related Posts