କାହିଁକି ଗନ୍ଧମାର୍ଦ୍ଧନ ପାହାଡ଼ ଚାରିପଟେ ଅଦାନୀ କିଣୁଛି ଜମି? ଖଣି ଖନନ ନା ଆଉ କିଛି?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ଭରପୁର ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନ ପାହାଡ଼ ଏବେ ଚର୍ଚ୍ଚାରେ | ଆଦାନୀ କର୍ପୋରେଟ୍ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ଼’ ଗନ୍ଧମାର୍ଦ୍ଧନ ପାଦଦେଶରେ ଜମି କିଣିବାକୁ ନେଇ ଏବେ ବିବାଦ ଦେଖାଦେଇଛି | ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଭରୁଆମୁଣ୍ଡା ମୌଜାର ୧୮ଏକର ଜମି କମ୍ପାନୀ ପକ୍ଷରୁ କିଣାଯାଇଛି | ସେହିପରି ବଲାଙ୍ଗୀର ଜିଲ୍ଲାର ଗାଈସିଲାଟ୍‌ ବ୍ଲକ୍‌ କଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁରେ କମ୍ପାନି ୨୩ ଏକର ଜମି କିଣିଛି। ହସ୍ତଗତ ଦସ୍ତାବିଜ୍‌ ଅନୁସାରେ, ଗତ ସେପ୍ଟେମ୍ବର ୨ ତାରିଖରେ କମ୍ପାନି ନାମରେ ଜମି ରେଜେଷ୍ଟ୍ରି ହୋଇଛି। ତେବେ, ସବୁଠାରୁ ବଡ଼ କଥା ହେଲା ଜମି କିଣାଯାଇଥିବା ସ୍ଥାନ ପାଖରେ ରହିଛି ଯୁବାଖୋଲ୍‌ ପାହାଡ଼। ଯାହାର କିଛି କି‌ଲୋମିଟର ପ‌ରେ ଗନ୍ଧମାର୍ଦ୍ଦନ ପାହାଡ଼ ଆରମ୍ଭ ହେଉଛି।

ଅଶୀ ଦଶକରେ ଏହି ଅଞ୍ଚଳରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ନାଲକୋ କମ୍ପାନୀକୁ ରାଜ୍ୟ ସରକାର ଅନୁମତି ଦେବା ପରେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ।ନାଲକୋ ଫେରିଯିବାକୁ ବାଧ୍ୟ ହୋଇଥିଲା। ଏବେ ଅଦାନୀ ଏହି ଅଞ୍ଚଳରେ କାହିଁକି ଜମି କିଣିଛି, ସେନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଗନ୍ଧମାର୍ଦ୍ଦନରେ ଗଚ୍ଛିତ ବକସାଇଟ ଉପରେ ଅଦାନୀ କମ୍ପାନୀର ନଜର ଥିବା ଚର୍ଚ୍ଚା ହଉଛି | ଆଉ ଏହି ଚର୍ଚ୍ଚା କୁ ଅଧିକ ଖୋରାକ ଯୋଗାଇଛି ସ୍ଥାନୀୟ ଅଂଚଳରେ ଚାଲିଥିବା ଡ୍ରୋନ୍‌ ସର୍ଭେ | ଗାଈସିଲାଟ୍‌ ବ୍ଲକ୍‌ ଫିରିଙ୍ଗିମାଲ ପଞ୍ଚାୟତ ଛିନ୍ଦ୍ରାପାଲି, କଠଉମାଲ ପଞ୍ଚାୟତର ସାଇ ଡୁଙ୍ଗୁରିପାଲି ଓ ଗୌରେନମୁଣ୍ଡା ପଞ୍ଚାୟତ ସାଲେପାଲି ଅଞ୍ଚଳରେ କିଛି ମାସ ହେଲା ଡ୍ରୋନ୍‌ ଯୋଗେ ଖଣି ଉପସ୍ଥିତିର ସର୍ଭେ ଚାଲିଥିବା ଜଣାପଡ଼ିଛି। ଉଭୟ ସ୍ଥଳ ଓ ଆକାଶମାର୍ଗରୁ ଏହି ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ଲୋକେ ବି କହୁଛନ୍ତି। ସେପଟେ ସାମ୍ନାକୁ ଆସିଥିବା ଏକ ଚିଠିରୁ ସର୍ଭେ ପ୍ରକ୍ରିୟା ଚାଲିଥିବା ସ୍ପଷ୍ଟ ହୋଇଛି। ଗତ ଫେବ୍ରୁଆରି ୨୬ ତାରିଖରେ ଏ ସମ୍ପର୍କିତ ଏକ ଚିଠି ବରଗଡ଼ ଜିଲ୍ଲାପାଳଙ୍କ ପାଖକୁ ଯାଇଛି। ଏଥିରେ ମିନେରାଲ୍‌ ଏକ୍ସପ୍ଲୋରେସନ୍‌ ଆଣ୍ଡ କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ର ସହକାରୀ ପ୍ରବନ୍ଧକ ଏବଂ ଗାଈସିଲାଟ୍‌ ବ୍ଲକ୍‌ ଫିରିଙ୍ଗିମାଲ୍‌ ସରପଞ୍ଚଙ୍କ ଦସ୍ତଖତ ରହିଛି। ଚିଠିରେ ସାଲେପାଲି, ସାଇ ଡୁଙ୍ଗୁରିପାଲି, ଘୁଚାଡିହିରେ ସର୍ଭେ ଚାଲୁଥିବା ଦର୍ଶାଯାଇଛି। ଏଥିପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅନୁମତି ଥିବା ଚିଠିରେ ଉଲ୍ଲେଖ ରହିଛି।

ଗନ୍ଧମାର୍ଦ୍ଧନ ପାଦଦେଶରେ ଅଦାନୀ କମ୍ପାନୀ ଜମି କିଣିବା ଓ ଡ୍ରୋନ୍‌ ଯୋଗେ ଖଣି ଉପସ୍ଥିତିର ସର୍ଭେ ନେଇ ଚିଠି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ସେପଟେ ଗନ୍ଧମାର୍ଦ୍ଧନରେ ଖଣି ଖନନକୁ ଏକ ସ୍ୱରରେ ବିରୋଧ କରିଛନ୍ତି ବିଜେପି-ବିଜେଡି-କଂଗ୍ରେସ | ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ, ଏହାକୁ ବିରୋଧ କରିଛନ୍ତି | ଗନ୍ଧମାର୍ଦ୍ଦନରୁ ଖଣି ଖନନ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ରାଜ୍ୟ ସରକାର ଏନେଇ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି |

ସେହିପରି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ଆଦାନି ଦ୍ୱାରା ଜମିକିଣା ଉଦ୍ଦେଶ୍ୟକୁ ନେଇ ହେଉଥିବା ଆଲୋଚନା ଏଯାଏଁ କୌଣସି ସ୍ପଷ୍ଟ ହୋଇନାହିଁ। ଯଦି ଗନ୍ଧମାର୍ଦ୍ଦନ ଉପରେ କମ୍ପାନୀର ନଜର ପଡ଼େ ତେବେ କଂଗ୍ରେସ ଦଳ ଏହାର ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ କରିବ ବୋଲି ନରସିଂହ ଚେତାଇ ଦେଇଛନ୍ତି।

ସେପଟେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, କୌଣସି ମତେ ଗନ୍ଧମାର୍ଦ୍ଦନରୁ ଗୋଟିଏ ଇଞ୍ଚ ଜାଗା ଖନନ ପାଇଁ ଦିଆଯିବ ନାହିଁ । ଗନ୍ଧମାର୍ଦ୍ଦନରୁ ଖନନକୁ ବିରୋଧ ଆଗରୁ ଥିଲା, ଏବେ ବି ରହିଛି ଏବଂ ଆଗକୁ ବି ରହିବ ବୋଲି ସେ କହିଛନ୍ତି।

ସେପଟେ ଗନ୍ଧମାର୍ଦ୍ଧନରୁ ଖଣି ଖନନ ହେବ ନାହିଁ ବୋଲି ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି |

ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକୁଥିବା ବେଳେ | ଜମି କିଣିବାର ଉଦେଶ୍ୟ ନେଇ ଅଦାନୀ କମ୍ପାନୀର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

Related Posts