‘ଏତେ ଛୁଟି କାହିଁକି ଦରକାର ହେଉଛି ?’; ନ୍ୟୁଜିଲାଣ୍ଡ ଗସ୍ତରେ କୋଚ୍‌ ରାହୁଲ ଦ୍ରାବିଡଙ୍କ ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ରବି ଶାସ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାଙ୍କର ଏତେ ଛୁଟି କାହିଁକି ଦରକାର ହେଉଛି ? ଖେଳାଳିଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ବଦଳରେ ଏତେ ଛୁଟି ନେଉଛନ୍ତି କାହିଁକି ? ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଏମିତି କହିଛନ୍ତି ରବି ଶାସ୍ତ୍ରୀ । ପୂର୍ବତନ ମୁଖ୍ୟ କୋଚ୍‌ କହିଛନ୍ତି, ଜଣେ ପ୍ରଶିକ୍ଷକ ନିଜ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାରେ ଅଧିକ ସମୟ ଅତିବାହିତ କରିବା ଉଚିତ ।କିନ୍ତୁ ତାହା ନକରି ସେ ଅଧିକ ବ୍ରେକ୍‌ ନେଉଛନ୍ତି କାହିଁକି ତାହା ଜଣାପଡୁନି ।

ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିିରିଜ୍‌ ପାଇଁ ଦଳ ସହ ଗସ୍ତ କରିନାହାନ୍ତି ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ । ତାଙ୍କ ସ୍ଥାନରେ ନ୍ୟାସନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ମୁଖ୍ୟ କୋଚ୍‌ ଭାବେ ଗସ୍ତ କରିଛନ୍ତି । ତେବେ ରାହୁଲ ଦ୍ରାବିଡ ଖାଲି ଚଳିତ ଥର ବ୍ରେକ୍‌ ନେଇନାହାନ୍ତି ବରଂ ବିଶ୍ବକପ ପୂର୍ବରୁ ଆୟର୍ଲାଣ୍ଡ ଏବଂ ଜିମ୍ବାଓ୍ବେ ଗସ୍ତରେ ମଧ୍ୟ ବିଶ୍ରାମ ନେଇଥିଲେ । ଦ୍ରାବିଡଙ୍କ ସହ ତାଙ୍କ ସହଯୋଗୀ ସଦସ୍ୟ ମଧ୍ୟ ବ୍ରେକ୍‌ ନେଇଥିଲେ । ସେତେବେଳେ କି ଲକ୍ଷ୍ମଣ କାମଚଳା ପ୍ରଶିକ୍ଷକ ଭାବେ ଟିମ୍ ସହ ସାମିଲ ହୋଇଥିଲେ ।

ତେବେ ଦ୍ରାବିଡଙ୍କ ବିଶ୍ରାମ ନେଇ ରବି ଶାସ୍ତ୍ରୀ କହିଛନ୍ତି ଯେ, ‘ବିଶ୍ରାମ ନେବାରେ ମୁଁ ବିଶ୍ବାସ କରେ ନାହିଁ । ଦଳ ଏବଂ ଖେଳାଳିଙ୍କ ସହ ରୀତିମତ ବୁଝାମଣା ରହିବା ଆବଶ୍ୟକ । ଏତେ ବିଶ୍ରାମ ନେବାର ଆବଶ୍ୟକତା କ’ଣ ରହିଛି? ଆଇପିଏଲ ସମୟରେ ୨ ରୁ ୩ମାସ ଛୁଟି ମିଳେ । ଜଣେ ପ୍ରଶିକ୍ଷକ ଭାବେ ଆପଣଙ୍କ ପାଇଁ ସେତିକି ବହୁତ କିଛି । ତେଣୁ ଅତ୍ୟଧିକ ଛୁଟି ନନେଇ ଖେଳାଳିଙ୍କ ସହିତ ରହି ସେମାନଙ୍କୁ ସୁଦୃଢ କରିବା ଉଚିତ’।

Related Posts