ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମ କୋର୍ଟରେ ଜାରି ରହିଛି। ଆଜି ଜାମିନ ଶୁଣାଣି ସମୟରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇକୁ କଡ଼ା ପ୍ରଶ୍ନ କରିଛନ୍ତି। ମାମଲାର ବିଚାର ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍ ଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ପଚାରି ଥିଲେ- ସିସୋଦିଆଙ୍କ ବିରୋଧରେ ଠୋସ୍ ପ୍ରମାଣ କାହିଁ? ତଦନ୍ତକାରୀ ଏଜେନ୍ସୀ ଉପସ୍ଥାପନ କରିଥିବା ସାକ୍ଷ୍ୟପ୍ରମାଣଗୁଡ଼ିକ ଗ୍ରହଣୀୟ ନୁହେଁ।
ସାକ୍ଷ୍ୟ ଆଧାରିତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇନାହିଁ। କେବଳ ସେତିକି ନୁହେଁ, ଏହି ମାମଲାରେ ନିଜେ ଅଭିଯୁକ୍ତ ଥିବା ବ୍ୟବସାୟୀ ଦିନେଶ ଆରୋରାଙ୍କ ବୟାନକୁ ଛାଡ଼ିଦେଲେ ଶ୍ରୀ ସିସୋଦିଆଙ୍କ ବିରୋଧରେ ଅନ୍ୟ ପ୍ରମାଣ କେଉଁଠି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅଦାଲତ। ଅନ୍ୟପକ୍ଷରେ ଆରୋରା ଏହି ମାମଲାରେ ଜଣେ ଅଭିଯୁକ୍ତ ଅଛନ୍ତି ଓ ନିକଟରେ ତାଙ୍କୁ ଜାମିନ ମିଳିଛି।
ଗୁରୁବାର ମାମଲାର ଶୁଣାଣି କରି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଏସ ଭି ଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏଜେନ୍ସିଗୁଡ଼ିକର ଅଭିଯୋଗ ଅନୁସାରେ ମନୀଷ ସିସୋଦିଆଙ୍କୁ ମଦ ପ୍ରସ୍ତୁତକାରୀ କଂପାନିଗୁଡ଼ିକ ଅର୍ଥ ଦେଇଛନ୍ତି। କିନ୍ତୁ ଏହା ତାଙ୍କ ପାଖରେ କିପରି ପହଞ୍ଚିଲା ତାହା ସ୍ପଷ୍ଟ ଭାବେ ଦର୍ଶାଇ ନାହାନ୍ତି।
ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି ଯେ ସିସୋଦିଆଙ୍କୁ ୧୦୦ କୋଟି ଓ ୩୦ କୋଟି ଟଙ୍କା ଦିଆଯାଇଛି। କିଏ ଏହି ଅର୍ଥ ଦେଲା? ବହୁ ଲୋକ ଟଙ୍କା ଦେଇପାରନ୍ତି – ଜରୁରୀ ନୁହେଁ ଯେ ତାହା ମଦ ସହ ଯୋଡି ହୋଇଥିବ। କେଉଁଠି ଅଛି ପ୍ରମାଣ? ଦୀନେଶ ଆରୋରା ନିଜେ ଏହାର ପ୍ରାପକ। କେଉଁଠି ରହିଛି ପ୍ରମାଣ? ଦୀନେଶ ଆରୋରାଙ୍କ ବୟାନକୁ ଛାଡ଼ିଦେଲେ ଅନ୍ୟ କିଛି ପ୍ରମାଣ ଅଛି କି ବୋଲି ଜଷ୍ଟିସ୍ ଖାନ୍ନା ପ୍ରଶ୍ନ କରିଛନ୍ତି।
ତେବେ ଅଦାଲତ ଆଜି କୌଣସି ରାୟ ଦେଇନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୨ ତାରିଖରେ କରାଯିବ ବୋଲି ସ୍ଥିର କରିଛନ୍ତି।