(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକସେବା ଭବନ ପାଇଁ ଇ-ପାସ୍ ବ୍ୟବସ୍ଥା କେବେ କରାଯିବ ? ଦୀର୍ଘ ତିନି ବର୍ଷ ତଳୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ଯୋଜନା ହେଲାଣି କିନ୍ତୁ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହି ଯୋଜନାରେ ସରକାର ଘୋଷଣା କରିଥିଲେ ଯେ, ଲୋକସେବା ଭବନର ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ। ସ୍ବୟଂଚାଳିତ ପ୍ରକ୍ରିୟାରେ ଏଠାରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ। ଲୋକ ଅନ୍ଲାଇନ୍ରେ/ମୋବାଇଲ୍ ଆପ୍ରେ ଘରେ ବସି ପାସ୍ ଆବେଦନ କରିଲେ ସେମାନଙ୍କୁ ପ୍ରବେଶ କରିବା ପାଇଁ ଏକ କୋଡ୍ ମିଳିପାରିବ। ଏହି କୋଡ୍ ଦେଖାଇ ଉକ୍ତ ବ୍ୟକ୍ତି ଭିତରକୁ ପ୍ରବେଶ କରିବେ। ଏପରିକି ଯେଉଁ ଗାଡ଼ିରେ ଯିବାର ଥିବ ସେ ଗାଡ଼ି ନମ୍ବରକୁ ପଞ୍ଜୀକରଣ କରିଥିଲେ ବିନା ବାଧାରେ ଗାଡ଼ି ଲୋକସେବା ଭବନକୁ ପ୍ରବେଶ କରିବାର ପ୍ରାବଧାନ ରହିଛି। ତେବେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରୁନି। ପୂର୍ତ୍ତ, ଗୃହ ବିଭାଗ ଏବଂ ଓକାକ୍କୁ ମିଳିତ ଭାବେ ଏହାର ଡିଜାଇନ୍, ମୋବାଇଲ୍ ଆପ୍, ସୁରକ୍ଷା ସମ୍ବନ୍ଧୀୟ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ଥିବାବେଳେ ଏହି ପ୍ରକଳ୍ପ ଦିନକୁ ଦିନ ଘୁଞ୍ଚିଘୁଞ୍ଚି ଚାଲିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୬୦କୋଟିର ଏହି ପ୍ରକଳ୍ପ ପାଇଁ ୧୮କୋଟି ୩୧ଲକ୍ଷ ଟଙ୍କା ମିଳିଥିବାବେଳେ କିଛି ବି କାମ ହୋଇ ନାହିଁ । ସେହି ଟଙ୍କା ଖର୍ଚ୍ଚ ହୋଇ ନ ଥିବା ବେଳେ ପୁଣି ୩୮କୋଟି ଟଙ୍କା ଦେଇଛି। ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଏହି ଯୋଜନା କେବେ ଠାରୁ କାର୍ଯ୍ୟକ୍ଷମ ହେବ।
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ , ଇ-ପାସ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଲୋକମାନେ ଯେକୌଣସି ସ୍ଥାନରେ ଥାଇ ବି ମୋବାଇଲ୍ ଆପ୍ରେ ପାସ୍ ପାଇଁ ଆବେଦନ କରିପାରିବେ। ସେ ଯେଉଁ ବିଭାଗକୁ ଯିବାକୁ ଚାହୁଁଥିବେ ସେହି ବିଭାଗ ପାଖକୁ ପାସ୍ ଆବେଦନ ଚାଲିଯିବ। ସେଠାରେ ଅନୁମୋଦନ ହେଲେ ଏହା ସୁରକ୍ଷା ଅଧିକାରୀଙ୍କ ନିକଟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଆସିବ। ଯଦି ପାସ୍ ଅନୁମୋଦନ ହୋଇଯାଏ ତେବେ ସେ ବିନା ବାଧାରେ ଲୋକସେବା ଭବନକୁ ଆସିପାରିବେ । ସେହିପରି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ଏକ କ୍ୟୁଆର୍ କୋଡ୍ ପ୍ରସ୍ତୁତ କରାଯିବ। ଯାହାକୁ ସ୍କାନ୍ କରାଇ ପାସ୍ ପାଇଥିବା ବ୍ୟକ୍ତି ପ୍ରବେଶ କରିପାରିବେ। କିନ୍ତୁ ଏହି ମୋବାଇଲ୍ ଆପ୍ କି ୱେବସାଇଟ୍ କିଛି ବି ଡେଭଲପ୍ ହୋଇନି। ଓକାକ୍ ଏହାକୁ ପ୍ରସ୍ତୁତ କରିବାକୁ ଥିବାବେଳେ କାମ ଅଟକି ରହିଛି।
ସେହିପରି ଲୋକସେବା ଭବନର ସବୁ ଗେଟ୍ରେ ସ୍ବୟଂଚାଳିତ ସରଞ୍ଜାମ ଲାଗିବ ଏବଂ ଏଥିରେ ଗାଡ଼ି ନମ୍ବର ସ୍କାନ୍ ହେବା ବ୍ୟବସ୍ଥା ରହିବ। ଯାହାଦ୍ବାରା ପାସ୍ ପାଇଥିବା ଗାଡ଼ି ବିନା କୌଣସି ପ୍ରତିବନ୍ଧକରେ ପ୍ରବେଶ କରିପାରିବ। ଏହି ସରଞ୍ଜାମ ସବୁ ଗୃହ ବିଭାଗ କିଣିବ।
ସୂଚନାଯୋଗ୍ୟ ଯେ, ଏବେ ଲୋକସେବା ଭବନ ପାଇଁ ଇ-ପ୍ରବେଶ ବ୍ୟବସ୍ଥା ଥିବାବେଳେ ଏଥିରେ କେବଳ ଲୋକସେବା ଭବନ ପାସ୍ କାଉଣ୍ଟର ନିକଟକୁ ଗଲେ ପାସ୍ ମିଳିବାର ବ୍ୟବସ୍ଥା ରହିଛି। ଏହା ଅଧିକ ଫଳପ୍ରଦ ହେଉନଥିବାରୁ ଇ-ପାସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।