ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସୁରକ୍ଷା ପାଇଁ କଣ ପଦେକ୍ଷପ ନିଆଯାଇଛି , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସୁରକ୍ଷା ପାଇଁ କଣ ପଦେକ୍ଷପ ନିଆଯାଇଛି ? ଏ ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉତ୍ତର ମାଗିଛନ୍ତି ମାନ୍ୟବର ହାଇକୋର୍ଟ। ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ କଇଁଛମାନଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା କମିଟିର ପରାମର୍ଶ କ୍ରମେ ସରକାର କଣ ସବୁ ପଦେକ୍ଷପ ନେଇଛନ୍ତି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରି ସୂଚନା ଦେବାକୁ ହାଇକୋର୍ଟ କହିଛନ୍ତି।

କଇଁଛମାନଙ୍କ ସୁରକ୍ଷା ପାଇଁ ଏକ ଗଠିତ କମିଟି ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ଗସ୍ତ କରିଥିଲା। ଏହା ପରେ କମିଟି ସୁପାରିଶ କରିଥିଲା ଯେ କଇଁଛମାନଙ୍କ ଅଣ୍ଡା ଦାନ ସମୟ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ମାଛ ଧରା ନିଷେଧ କରିବା ଆବଶ୍ୟକ । ଜଙ୍ଗଲି ଜନ୍ତୁଙ୍କ କବଳରୁ କଇଁଛ ଅଣ୍ଡା ଓ ସାବକମାନଙ୍କୁ ସୁରକ୍ଷା ଦେବା ପାଇଁ ତାର ବାଡ଼ ଘେରାଇବାକୁ କମିଟି ସୁପାରିଶ କରିଥିଲା। ଏତଦ୍ ବ୍ୟତୀତ ସ୍ଥାନୀୟ ଅଞ୍ଚଳରେ ଚଳ ପ୍ରଚଳ ହେଉଥିବା ଟ୍ରଲର ଓ ବୋଟ୍‌ ଗୁଡ଼ିକର ଗତିବିଧି ଉପରେ ନଜର ରଖିବା ପାଇଁ ଟ୍ରାନ୍ସପଣ୍ଡର ଲଗାଇବା ପାଇଁ ମଧ୍ୟ ସୁପାରିଶ କରାଯାଇଥିଲା। ଆଉ ଏଥିପାଇଁ ଇସ୍ରୋ ସହ ଯୋଗାଯୋଗ କରିବା ଲାଗି ମଧ୍ୟ କମିଟି ପ୍ରସ୍ତାବ ଦେଇଥିଲା।

ତେବେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ମାଛ ଧରା ବନ୍ଦ ହେବା ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ମତ୍ସଜିଵୀମାନଙ୍କୁ ଆର୍ଥିକ ସାହାୟତା ଦେବା ଏବଂ ମନରେଗା ଯୋଜନାରେ କର୍ମ ନିଯୁକ୍ତି ଯୋଗାଇବାକୁ କମିଟି ସୁପାରିଶ କରିଥିଲା। ତେବେ କମିଟି ଦେଇଥିବା ଏହି ପରାମର୍ଶ ଉପରେ ସରକାର କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଜଣାଇବା ପାଇଁ ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲ୍‌ କହିଛନ୍ତି।

Related Posts