(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ କେନ୍ଦ୍ର ସରକାର ବଡ ବୟାନ ଦେଇଛନ୍ତି । ଏଣିକି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଥିଲେ ସରକାର କିନ୍ତୁ ଦିନକୁ ଦିନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଯଦି ପରିବାରରେ କେହି କରୋନାରେ ସଂକ୍ରମିତ ହୋଇଛନ୍ତି ତାହାଲେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ଅଟେ । ଏପରି ନ କଲେ ସଂକ୍ରମିତଙ୍କ ଠାରୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି ।
ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଅଲଗା ରହିବା ଦରକାର । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଯଥା ଘରୁ ନ ବାହାରିବା ପାଇଁ କହିଛନ୍ତି ଭିକେ ପଲ । କରୋନାର ଦ୍ୱିତୀୟ ଲୋହରୀରେ ସଂକ୍ରମଣ ଅଧିକ ହେଉଥିବାରୁ ବାହାରେ ମାସ୍କ ପିନ୍ଧିବା ସହ ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧୁବା ଜରୁରୀ ଅଟେ । ଅନ୍ୟପଟେ ଆରଟି-ପିସିଆର ରିପୋର୍ଟରେ ନେଗେଟିଭ ଥାଇ ଯଦି କରୋନା ଲକ୍ଷଣ ଦେଖାଦେଉଛିି ତାହାଲେ ଆଇସୋଲେଶନରେ ରହିବା ଉଚିତ । ଲକ୍ଷଣ ଦେଖାଇଲେ ରିପୋର୍ଟକୁ ଅପେକ୍ଷା ନକରି ଆଇସୋଲେଶନରେ ରହିବା ବ୍ୟବସ୍ଥା କରିବା ନିହାତି ଦରକାର । ବେଳେ ବେଳେ ଆରଟି-ପିସିଆର ରିପୋର୍ଟ ମଧ୍ୟ ଭୁଲ ହୋଇଥାଏ ପାରେ ବୋଲି ଏମ୍ସ ମୁଖ୍ୟ ଡ.ରଣଦୀପ ଗୁଲେରିଆ କହିଛନ୍ତି ।