ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍କୁ ନେଇ ପାକିସ୍ତାନ କ୍ରିକେଟ ବିର୍ଡ(ପିସିବି) ଅଧ୍ୟକ୍ଷ ରମିଜ ରାଜାଙ୍କର ବଡ଼ ବୟାନ । ଏସିଆନ କ୍ରିକେଟ କାଉନସିଲ (ଏସିସି) ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏସିଆ କପ୍ କରିବାକୁ ନିଷ୍ପତ୍ତି ନେଲେ ଏସିଆ କପ୍କୁ ପାକିସ୍ତାନ ବୟକଟ୍ କରିବ ବୋଲି କହିଛନ୍ତି ରମିଜ୍ ।
ପୂର୍ବରୁ ଏସିସି ଅଧ୍ୟକ୍ଷ ତଥା ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ, ଭାରତୀୟ କ୍ରିକେଟ ଦଳ ଦିନିକିଆ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ । ଏହାପରେ ପିସିବି ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବା ପାଇଁ ଚେତାବନୀ ଦେଇଥିଲା । ତେବେ ବର୍ତ୍ତମାନ ପିସିବି ମୁଖ୍ୟ ରମିଜ ରାଜା କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଆସିବାକୁ ଚାହୁଁନାହିଁ, ତେବେ ଆମ ପାଖରେ ବିକଳ୍ପ ହେଉଛି ଆମେ ଏସିଆ କପ୍ ଖେଳିବୁ ନାହିଁ । ଭାରତୀୟ କ୍ରିକେଟ ଦଳ ଶେଷଥର ପାଇଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ୨୦୦୮ରେ ପାକିସ୍ତାନ ଯାଇଥିଲା ।
ପିସିବି ମୁଖ୍ୟ ରମିଜ ରାଜା ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ଯଦି ଭାରତ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତରୁ ନିବୃତ ରୁହେ, ତେବେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପରେ ଭାଗ ନେବାପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ । ବିଶ୍ବର ସବୁ ବଡ଼ ବଡ଼ କ୍ରିକେଟ ଦଳ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଆସୁଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ମଧ୍ୟ ଦିଆଯାଉଛି ।
ତେଣୁ ଭାରତ ପାକିସ୍ତାନ ନଆସିବାର ସେଭଳି କୌଣସି କାରଣ ନାହିଁ କହିଥିଲେ ରମିଜ ରାଜା । ସେ କହିଥିଲେ, “ମୁଁ ଜାଣିନାହିଁ ଭାରତୀୟ ଦଳ ପାକିସ୍ତାନ ଆସିବ କି ନାହିଁ । କିନ୍ତୁ ଏସିଆ କପ ଆୟୋଜନର ଅଧିକାର ଆମକୁ ମିଳିଥିବାରୁ ଆମେ ଚାହୁଁନୁ ଏହା କୌଣସି ପରିସ୍ଥିତିରେ ପାକିସ୍ତାନ ବାହାରେ ହେଉ । ଯଦି ଏପରି ହୁଏ, ତେବେ ଆମେ ଏହି ଆୟୋଜନରୁ ସମ୍ପୂର୍ଣ୍ଣ ଭାବେ ବାହାରିଯିବାକୁ ନେଇ ବିଚାର କରିବୁ ।”