‘ହିନ୍ଦୀ ଭାଷାକୁ ଆଗକୁ ଆଣି ଦେଶରେ ଭାଷା ଯୁଦ୍ଧ ଆରମ୍ଭ କରିବା ଉଚିତ୍ ନୁହେଁ’: ଷ୍ଟାଲିନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦ୍ୱିତୀୟ ଥର ପାଇଁ ଡିଏମକେର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର ହିନ୍ଦୀ ଭାଷାକୁ ଆଗକୁ ଆଣି ଭାଷା ଯୁଦ୍ଧ ଆରମ୍ଭ କରିବା ଉଚିତ ନୁହେଁ। ସରକାରୀ ଭାଷା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସଂସଦୀୟ କମିଟି ଦ୍ୱାରା ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏପରି କହିଛନ୍ତି।

ଷ୍ଟାଲିନ କହିଛନ୍ତି ଯେ, ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକରେ ଶିକ୍ଷାର ମାଧ୍ୟମ ଭାବରେ ଇଂରାଜୀ ବଦଳାଇ ହିନ୍ଦୀ ଲାଗୁ କରିବାକୁ କମିଟି ପ୍ରସ୍ତାବ ଦେଇଛି। ଏମ୍ସ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଏହା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। କେବଳ ହିନ୍ଦୀ କହୁଥିବା ଲୋକ ଦେଶର ନାଗରିକ ଓ ବାକି ଭାଷା କହୁଥିବା ଲୋକମାନେ ଦ୍ୱିତୀୟ ଶ୍ରେଣୀ ଅଟନ୍ତି। ଲଗାତାର ହିନ୍ଦୀ ଲାଗୁ ପାଇଁ ଉଦ୍ୟମ ହେଉଛି ଯାହାକି ସମ୍ବିଧାନ ବିରୋଧ ବୋଲି କହିଛନ୍ତି ଷ୍ଟାଲିନ।

ଦ୍ୱିତୀୟ ଥର ପାଇଁ ଏମ.କେ ଷ୍ଟାଲିନ ଭାଷା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚେତାବନୀ ଦେବା ଅନ୍ଦାଜରେ ଷ୍ଟାଲିନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରନ୍ତୁ ଯେ ସେ ହିନ୍ଦୀକୁ ବାଧ୍ୟତାମୂଳକ କରିବେ ନାହିଁ ଓ ଦେଶର ଏକତା ବଜାୟ ରଖିବେ। ସମ୍ବିଧାନର ଅଷ୍ଟମ ତାଲିକାରେ ୨୨ ଟି ଭାଷା ଅଛି ଓ ତାମିଲ ମଧ୍ୟ ସେଠାରେ ଅଛି। ତେଣୁ ସମସ୍ତ ଭାଷାକୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସବୁ ଭାଷାକୁ ସରକାରୀ ଭାଷା ଭାବେ ଲାଗୁ କରିବା ନେଇ ଉଦ୍ଯମ ଜାରି ରହିବା ଆବଶ୍ୟକ । ଏମିତି କଣ ପରିସ୍ଥିତି ଆସିଗଲା ଯେ ହିନ୍ଦୀକୁ ସରକାରୀ ଭାଷା କରିବା ଜରୁରୀ ହୋଇ ପଡିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଇଂରାଜୀ ହଟାଇ ପରୀକ୍ଷାରେ ହିନ୍ଦୀ ରଖିବାର ପ୍ରସ୍ତାବ କାହିଁକି ଦିଆଯାଇଛି। ଏହା ସମ୍ୱିଧାନ ବିରୁଦ୍ଧ ଅଟେ । ଏପରି କରି ଅନ୍ୟ ଭାଷା ସହ ଭେଦଭାବ କରାଯାଉଛି । ସଂସଦରେ କାହିଁକି ‘ଭାରତ ମାତା ଜୟ’କୁ ଏକ ରାଜନୈତିକ ସ୍ଲୋଗାନ ଭାବେ ବ୍ୟବହାର କରାଯାଉଛି ବୋଲି ମଧ୍ୟ କହିଛନ୍ତି। ଏହି ଅବସରରେ ୧୯୬୫ ମସିହାରେ ଡିଏମକେ ପକ୍ଷରୁ ହିନ୍ଦୀ ଭାଷାକୁ ନେଇ ହୋଇଥିବା ବିରୋଧକୁ ମଧ୍ୟ ଷ୍ଟାଲିନ ମନେ ପକାଇ ଦେଇଛନ୍ତି ।

Related Posts