(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଖରସ୍ରୋତା ବଞ୍ଚାଅ ଆନ୍ଦୋଳନକୁ ବଳ ଦେବେ ଜଳମାନବ ରାଜେନ୍ଦ୍ର ସିଂ। କେନ୍ଦ୍ରାପଡ଼ା ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ ବିରୋଧରେ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନରେ ରାଜେନ୍ଦ୍ର ସିଂ ସାମିଲ ହେବେ । ସେ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ୱେବିନାରରେ ସେ ଏହି ସୂଚନା ଦେଇଛନ୍ତି। ସୂଚନା ଥାଉକି ଖରସ୍ରୋତା ସଂଗ୍ରାମ ସମିତି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏହି ୱେବିନାର ଆୟୋଜନ କରାଯାଇଥିଲା।
ଖରସ୍ରୋତା ସଂଗ୍ରାମ ସମିତିର ସଦସ୍ୟ ମାନଙ୍କର କହିବା କଥା ହେଉଛି ଯେ ପଡ଼ୋଶୀ ଭଦ୍ରକ ଜିଲ୍ଲା ସହିତ ସେମାନଙ୍କର କୌଣସି ବିବାଦ ନାହିଁ, କିନ୍ତୁ ଖରସ୍ରୋତାରେ ପ୍ରକଳ୍ପକୁ ଅଦାନିକୁ ପାଣି ଦେବା ଉଦ୍ଦେଶ୍ୟରେ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଣମୌସୁମୀ ସମୟରେ ଜଳ ପ୍ରବାହ ହ୍ରାସ ପାଉଥିବାରୁ ନଦୀରେ ଯଥେଷ୍ଟ ପରିମାଣର ପାଣି ରହୁ ନାହିଁ। ଏମତିକି କେନ୍ଦ୍ରାପଡ଼ାର ଆଳି, ରାଜକନିକାରେ ଜଳ ଯୋଗାଣ ମଧ୍ୟ ସମ୍ଭବ ହେଉ ନାହିଁ ବୋଲି ସେମାନେ କହିଛନ୍ତି ।
ତେଣୁ ଏହି ପ୍ରକଳ୍ପ ଜରିଆରେ ନଦୀକୁ ଶୋଷଣ ହେଉଥିବା ସମିତିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ସୁଦର୍ଶନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ସୋଆ ବିଶ୍ବବିଦ୍ୟାଳୟର ଶିଶିରକାନ୍ତ ବେହେରା, ସଂଗ୍ରାମ ସମିତିର ଦୁର୍ଯ୍ୟୋଧନ ମହାନ୍ତି, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସବିତା ବରଜ, ବିଧାନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡ଼ିଆ ପଡ଼ିଆରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ନ୍ତି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଆସୁଛନ୍ତି। ପ୍ରକଳ୍ପ କାମକୁ ବିରୋଧ କରି ଆନ୍ଦୋଳନ ବେଳେ ୧୨ ତାରିଖରେ ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଉଭୟ ପୋଲିସ ଏବଂ ଜନତା ମୁହାଁମୁହିଁ ହୋଇଥିଲେ। ପୋଲିସ ଏହି ଘଟଣାରେ ୨୪ ଜଣଙ୍କୁ ଗିରଫ କରିଥିଲା । ବେଆଇନ ଗିରଫଦାରିକୁ ପୋଲିସ ବନ୍ଦ କରୁ ବୋଲି ଦାବି କରିବା ସହ ନଦୀରେ ବ୍ୟାରେଜ ନିର୍ମାଣକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ବାସିନ୍ଦା ।