ଜୁନ 10ରେ ଖାଲିଥିବା 57 ରାଜ୍ୟସଭା ଆସନ ପାଇଁ ମତଦାନ

ନୂଆଦିଲ୍ଲୀ: ଜୁନରେ 57 ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା ବେଳେ ବିଧାନସଭା ନିର୍ବାଚନ ହେବ । ଏନେଇ ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ମାସ (ଜୁନ) 10 ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବା ନେଇ ଆଜି (ଗୁରୁବାର) ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ଆଜି ଘୋଷଣାରେ ଆୟୋଗ ପକ୍ଷରୁ କୁହାଯାଇଛି ଚଳିତ ମାସ (ମେ’) 27 ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । 31 ତାରିଖରେ ନାମାଙ୍କନ ଦାଖଲ ଓ ଜୁନ ପହିଲାରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି 10 ତାରିଖ ପୂର୍ବାହ୍ନର 9 ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବା ସେହିଦିନ ସନ୍ଧ୍ୟା 5 ଟାରେ ଗଣତି ଓ ଫଳାଫଳ ମଧ୍ୟ ଘୋଷଣା କରାଯିବା ନେଇ ଆୟୋଗ ସୂଚନା ଦେଇଛନ୍ତି ।ଜୁନ ଓ ଅଗଷ୍ଟ ମାସ ମଧ୍ୟରେ 15 ରାଜ୍ୟର 57 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି 57 ଆସନ ମଧ୍ୟରେ ଉତ୍ତର ପ୍ରଦେଶରୁ 11 ସାଂସଦ, ମହାରାଷ୍ଟ୍ର ଓ ତାମିଲନାଡୁରୁ 6 ଲେଖାଏଁ ସାଂସଦ, ବିହାରରୁ 5, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନରୁ 4 ଲେଖାଏଁ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେହିପରି ମଧ୍ୟ ପ୍ରଦେଶ ଓ ଓଡିଶାରୁ 3 ଲେଖାଏଁ, ତେଲେଙ୍ଗାନା, ଛତିଶଗଡ, ପଞ୍ଜାବ, ଝାଡଖଣ୍ଡ, ହରିୟାଣାରୁ 2 ଜଣ ଲେଖାଏଁ ସାଂସଦ ଅବସର ନେବେ । ଏହି ତାଲିକାରେ ଉତ୍ତରାଖଣ୍ଡରୁ ଜଣେ ସାସଂଦ ରହିଛନ୍ତି ।

ନିର୍ବାଚନ ପ୍ରକ୍ରିୟାରେ କୋଭିଡ ଗାଇଡଲାନକୁ ସଠିକ ଅନୁପାଳନ କରିବା ପାଇଁ ମଧ୍ୟ ବିଶେଷ ଭାବେ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରକ୍ରିୟା ବେଳେ କୋଭିଡ ସମ୍ପର୍କିତ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମସ୍ତ 15 ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

Related Posts