ତେଲେଙ୍ଗାନା ବିଧାନସଭା ପାଇଁ ପଡୁଛି ଭୋଟ୍; ନିର୍ଦ୍ଧାରଣ ହେବ ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ତେଲେଙ୍ଗାନା ବିଧାନସଭା ପାଇଁ ପଡୁଛି ଭୋଟ୍। ସକାଳୁ ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ ଭୋଟ୍।

ତେଲେଙ୍ଗାନାରେ ଏଥର ଲଢ଼େଇ ମୁଖ୍ୟତଃ ଭାରତ ରାଷ୍ଟ୍ର ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ହେବ। ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ୯୬ଟି ନିର୍ବାଚନ ରାଲି କରିଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରୋଡ୍ ସୋ ମାଧ୍ୟମରେ ହାଇ ଭୋଲଟେଜ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ମାଗିଛନ୍ତି ଭୋଟ୍। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ କରିଛନ୍ତି। ଏଥର ୩କୋଟି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବାବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି। ସକାଳୁ ସକାଳୁ ଜୁବଲି ହିଲ୍ସ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ। ସେହିପରି ଜୁନିଅର୍ ଏନଟିଆର ଏବଂ ଚିରଞ୍ଜୀବୀ ମଧ୍ୟ ଭୋଟ୍ ଦେବାକୁ ଆସିଛନ୍ତି। ଧାଡିରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ଦୁଇ ଷ୍ଟାର୍। ଅଲ୍ଲୁ ଅର୍ଜୁନ ଭୋଟ୍ ଦେବାକୁ ଏକୁଟିଆ ଆସିଥିବା ବେଳେ ଜୁନିଅର୍ ଏନଟିଆର ତାଙ୍କ ପତ୍ନୀ ଲକ୍ଷ୍ମୀ ପ୍ରଣତୀ ଏବଂ ମାଆ ଶାଳିନୀ ନନ୍ଦାମୁରୀଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେହିପରି ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ତାଙ୍କ ପରିବାର ସହ ଭୋଟ୍ ଦେଇଛନ୍ତି। ସାଉଥ୍ ଷ୍ଟାରଙ୍କ ଭୋଟିଂ ସମୟର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଭୋଟେ ଦେଇ ସାରିବା ପରେ ଅଲ୍ଲୁ ଅର୍ଜୁନ ସୋଶାଲ ମିଡିଆରେ ଆଙ୍ଗୁଠିରେ ଇଙ୍କ୍ ଲାଗିଥିବା ଫଟୋ ଶେଆର୍ କରିଛନ୍ତି। ଏକ୍ସ ପୋଷ୍ଟରେ ଅଲ୍ଲୁ ଲେଖିଛନ୍ତି, ‘ଦାୟିତ୍ୱ ନାଗରିକ ଭାବେ ନିଜର ମତ ସାବ୍ୟସ୍ତ କରନ୍ତୁ।’

Related Posts