ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଵା ପ୍ରତିବାଦରେ ଭୋଟ ବର୍ଜନ କଲେ ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତର ୨ ଗୋଟି ୱାର୍ଡର ଗ୍ରାମବାସୀ: ଖାଁ ଖାଁ ବୁଥ

ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ | ମତଦାତା ମାନେ ସକାଳ ୭ ଟାରୁ ଲମ୍ବା ଲାଇନରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଥିବା ବେଳେ, କିନ୍ତୁ ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତର ୨ ଗୋଟି ୱାର୍ଡରେ ଦେଖିବାକୁ ମିଳିଛି ବିପରୀତ ଦୃଶ୍ୟ | ଭୋଟ ବର୍ଜନ କରିଛନ୍ତି ୨ ଗୋଟି ୱାର୍ଡର ବାସିନ୍ଦା | ଫଳରେ ଖାଁ ଖାଁ ହୋଇପଡିଛି ବୁଥ | ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାକୁ ବଞ୍ଚିତ ହେଉଥିବା ପ୍ରତିବାଦରେ ନେଇଛନ୍ତି ଏପରି ପଦକ୍ଷେପ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ପଞ୍ଚାୟତର ସ୍ଥାନୀୟ ସ୍କୁଲରେ ୧୮ ଓ ୧୯ ନମ୍ବର ବୁଥ ହୋଇଛି। ୧୮ ନଂ ବୁଥରେ ୧୯୪ ଭୋଟର ଥିବା ବେଳେ ୧୯ ନଂ ବୁଥ୍‌ରେ ୧୮୭ ଭୋଟର ଅଛନ୍ତି। ଏଥିନିମନ୍ତେ ଆଜି ସକାଳୁ ବୁଥ୍‌ରେ ପୋଲିଂ ପାର୍ଟି ପ୍ରସ୍ତୁତ ରହିଥିଲେ । ମାତ୍ର ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ କେହି ଭୋଟ ଦେବାକୁ ଆସି ନ ଥିବା କହିଛନ୍ତି ଉଭୟ ପ୍ରିଜାଇଡିଂ ଅଫିସର । ଘଟଣା ସମ୍ପର୍କରେ ବୁଝୁବୁଝୁ ଉଭୟ ୱାର୍ଡର ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି।

ଭୋଟ ବର୍ଜନ କରିଥିବା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ପୂର୍ବରୁ ବାଉଁଶ ଅଂଟା ଗ୍ରାମବାସୀ ଯାବରା ପଞ୍ଚାୟତରେ ରହିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଏହି ଗ୍ରାମକୁ ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ କରାଯାଇଥିଲା । ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ ହେବା ପରେ ଗ୍ରାମବାସୀ ପଂଚାୟତ ସ୍ତରୀୟ ଅନେକ କାର୍ଯ୍ୟରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲାପାଳଙ୍କୁ ଜଣାଇଥିଲେ ହେଁ କେହି କର୍ଣପାତ କରୁ ନାହାନ୍ତି। ତେଣୁ ଗ୍ରାମବାସୀ ଭୋଟ ବର୍ଜନ କରିବା ସହ ବୁଥ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ।

Related Posts