ଲାଭରେ ଚାଲୁଥିବା ୪ ପାନ୍ଥନିବାସର ଘରୋଇକରଣ ଯୋଜନାକୁ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାଭରେ ଚାଲି ଆସୁଥିବା ରାଜ୍ୟର ୪ଟି ପାନ୍ଥନିବାସ ପ୍ରାଇଭେଟାଇଜେସନ୍ ନିଷ୍ପତ୍ତିକୁ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ବିରୋଧ। ବାଲେଶ୍ବର, ଭଦ୍ରକ, ଗୋପାଳପୁର ଓ ତପ୍ତପାଣିକୁ ପର୍ଯ୍ୟଟନ ବିଭାଗ ଘରୋଇକରଣ କରିବା ପରେ ଏବେ ଆଉ ୪ଟି ପାନ୍ଥନିବାସ କୋଣାର୍କ, ପଞ୍ଚଲିଙ୍ଗେଶ୍ବର, ଧଉଳି ଓ ସାତପଡ଼ା ପାନ୍ଥନିବାସକୁ ଘରୋଇକରଣ କରିବାକୁ ନେଇ ଚକ୍ରାନ୍ତ ଆରମ୍ଭ ହୋଇଛି। ଏହା ପରେ ବିରୋଧର ସ୍ୱର ଉଠିଛି।

ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସଭାପତି ଶିବାନନ୍ଦ ରାୟ ଓ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଏକ ପ୍ରେସ୍‌ ରିଲିଜ୍ ଜରିଆରେ କହିଛନ୍ତି ଯେ, ପର୍ଯ୍ୟଟନ ବିଭାଗର କେତେକ ପ୍ରକଳ୍ପ ବହୁଦିନ ଧରି ପଡ଼ିରହିଥିବାବେଳେ ସେଗୁଡ଼ିକୁ ଘରୋଇକରଣ ନକରି କୋଟିକୋଟି ଟଙ୍କା ଲାଭ ଦେଉଥିବା ଏହି ପାନ୍ଥନିବାସଗୁଡ଼ିକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ପର୍ଯ୍ୟଟନ ବିଭାଗ ଦ୍ୱାରା ହୀନ ପ୍ରୟାସ ଆରମ୍ଭ ହୋଇଛି ।

ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ୨୦୧୯-୨୦ ସୁଦ୍ଧା ପାନ୍ଥନିବାସ ୩୪କୋଟି ଟଙ୍କା ଲାଭ ଦେଇଛନ୍ତି। ୨୦୧୭-୧୮ରେ ୧କୋଟି, ୨୦୧୮-୧୯ରେ ୧କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଡେଭିଡେନ୍ସ ପାଣ୍ଠିକୁ ଦାନ କରାଯାଇଥିବା ବେଳେ ଏହାସହିତ ନିଗମକୁ ରୌପ୍ୟବର୍ଗର ମାନ୍ୟତା ଦିଆଯାଇଛି। ଏବେ ପ୍ରାୟ ୧ହଜାର ନିୟମିତ, ଏନ୍‌ଏମ୍‌ଆର୍‌, ଠିକା ଓ ଆଉଟ୍‌ସୋର୍ସିଂ କର୍ମଚାରୀ ଏଥିରୁ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ପର୍ଯ୍ୟଟନ ବିଭାଗକୁ ଘରୋଇକରଣର ମୋହ ଲାଗିଛି।

ପାନ୍ଥନିବାସଗୁଡ଼ିକୁ ଘରୋଇକରଣ ନକରିବା ପାଇଁ ସଙ୍ଘ ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳି ପାରି ନାହିଁ । ଏସମ୍ପର୍କରେ ଏକ ମାମଲା ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଏହା ସତ୍ତ୍ୱେ ବି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପାନ୍ଥନିବାସକୁ ଘରୋଇକରଣ କରିବାରେ ଲାଗିପଡିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟ ସରକାରଙ୍କ କରୋନାକାଳୀନ ଗାଇଡଲାଇନ ଅନୁଯାୟୀ କୌଣସି ସରକାରୀ ବିଭାଗରେ ପିଏମ୍‌ୟୁ ଏଜେନ୍ସି ରହି‌ବନି। କିନ୍ତୁ ପର୍ଯ୍ୟଟନ ବିଭାଗରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଚୁକ୍ତିନାମା ଶେଷ ହୋଇଥିବା ଏକ ପିଏମ୍‌ୟୁକୁ ନିୟୋଜିତ କରାଯାଇଛି। ତେଣୁ ପାନ୍ଥନିବାସଗୁଡ଼ିକର ଘରୋଇକରଣ ଯଦି ବନ୍ଦ ନହୁଏ ତେବେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ଆଗକୁ ବିରୋଧ ପ୍ରଦର୍ଶନ କରିବାର ଚେତାବନୀ ଦିଆଯାଇଛି। ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସଭବନ ଓ ପର୍ଯ୍ୟଟନ ବିଭାଗକୁ ଘେରାଉ କରାଯିବ ସହ ସମସ୍ତ କର୍ମଚାରୀ ଧାରାଣାକୁ ଓହ୍ଲାଇବେ ବୋଲି ସଙ୍ଘ ଚେତାବନୀ ଦେଇଛି ।

Related Posts