(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗଲା ଅଗଷ୍ଟ ମାସରେ ଆବଶ୍ୟକତାଠାରୁ ବହୁତ କମ୍ ବର୍ଷା ହୋଇଛି। ଆବଶ୍ୟକ ସମୟରେ ଜଳସେଚନ ସୁବିଧା ନଥିବା କାରଣରୁ ବହୁ ସ୍ଥାନରେ ଇନ୍ଦ୍ର ଦେବତାଙ୍କ ଭରଷାରେ ଚାଷୀ। କିନ୍ତୁ ଏଥର ଚାଷୀ ମାନେ ହତାଶ ହୋଇ ପଡିଛନ୍ତି। ବର୍ଷା ଅଭାବରୁ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଶ୍ରାବଣ ମାସରେ ବର୍ଷା ପରବର୍ତ୍ତେ ପ୍ରଚଣ୍ଡ ଖରା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି। ଅନେକ ଜାଗାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ବର୍ଷା ନ ହେଲେ ଧାନ ସବୁ ମରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ମରୁଡ଼ି ଘୋଷଣା କରିବା ପାଇଁ ରାଜ୍ୟ
ସରକାରଙ୍କ ଉପରେ ବିରୋଧୀ ଲଗାତର ଚାପ ପକାଉଛନ୍ତି। ତେବେ ସବୁଆଡ଼ୁ ହତାସ ହେବା ପରେ ଚାଷୀ ଇନ୍ଦ୍ର ପୂଜା କରି ବର୍ଷା ଅପେକ୍ଷାରେ। ଏହା ମଧ୍ୟରେ ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ଇନ୍ଦ୍ର ଦେବତାଙ୍କୁ ପୂଜା କରିଛନ୍ତି। ସେ ତାଙ୍କ ତାଙ୍କ ପତ୍ନୀ , ଭାଇ ଏବଂ ଗ୍ରାମବାସୀଙ୍କ ସହ ଇନ୍ଦ୍ର ଦେବତାଙ୍କୁ ପୂଜା କରିଛନ୍ତି।
ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଗଷ୍ଟ ମାସରେ ବହୁତ କମ ବର୍ଷା ହୋଇଛି। ଅଗଷ୍ଟ ମାସର ରିପୋର୍ଟକୁ ଆଧାର କରି ଏବେଠାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମରୁଡ଼ି ଗ୍ରସ୍ତ ଘୋଷଣା କରିଦେବା ଆବଶ୍ୟକ । ସରକାର ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ଲୋକଙ୍କୁ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଧାରା ଶ୍ରାବଣ ମାସ ଗଲା, ଭାଦ୍ରବ ମାସ ଚାଲିଛି ତଥାପି ବି ୨ ମାସ ହେବ ବର୍ଷାର ଦେଖା ନାହିଁ। ବର୍ଷା ଅଭାବ ଯୋଗୁଁ ଏବେ ଜମି ଫାଟି ଆଁ କରିଛି ଓ କେତେକ ସ୍ଥାନରେ ଧାନ ଫସଲ ମରିଯାଇଥିବା କୁହାଯାଉଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଜଳାଭାବ ଯୋଗୁଁ ଧାନ ହଳଦିଆ ହୋଇ ମରିବାକୁ ବସୁଛି। ହଜାର ହଜାର ଟଙ୍କା ଦେଇ ଉନ୍ନତ କିସମର ବିହନ ଚାଷ କରିଥିବା ଚାଷୀ ଏବେ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ଆଉ ଏଭଳି ସଙ୍କଟ ସମୟରେ ଚାଷୀ ଇନ୍ଦ୍ରଙ୍କ ଭରଷାରେ।