ବିହାରରେ ବିଜେପି ହାତ ଛାଡ଼ିବା ପରେ ନୀତିଶ କୁମାରଙ୍କୁ “ପଲଟୁ ରାମ” କହି କଡା ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ରାଜନୈତିକ କନ୍ଦଳ ତୀବ୍ର ‌ହେବାରେ ଲାଗିଛି ଇତି ମଧ୍ୟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ସହଯୋଗୀ ଭାରତୀୟ ଜନତା ପାର୍ଟି ସହିତ ଆଠ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେଣ୍ଟ ଭାଙ୍ଗିଛନ୍ତି। ତେବେ ଏହି ମେଣ୍ଟକୁ ବଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା ମଧ୍ୟ ନୀତିଶ ଇସ୍ତଫା ଦେବା ସହ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳ ସହ ଗଠବନ୍ଧନ କରିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ଏହି ଘଟଣା କ୍ରମ ମଧ୍ୟରେ ବିଜେପିର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି। ହେଲେ ନୀତୀଶ ବିଶ୍ୱାସଘାତକତା କରି ମେଣ୍ଟ ଭାଙ୍ଗିଛନ୍ତି। ଏପରିକି ଯେତେବେଳେ ଆମର ଅଧିକ ବିଧାୟକ ଥିଲେ ମଧ୍ୟ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା। ୩ଦଶନ୍ଧି ମଧ୍ୟରେ ସେ ଅନେକ ଥର ନିଜର ସହଯୋଗୀ ଦଳ ବଦଳାଇଛନ୍ତି। ଏବେ ପୁଣି ପଲଟୁ ରାମ ନିଜ ସହଯୋଗୀ ଦଳକୁ ଧୋକା ଦେଇ ଇତିହାସକୁ ଦୋହରାଇଛନ୍ତି।କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବିହାରରେ ଜେଡି (ୟୁ) ସହିତ ବିଜେପିର ମେଣ୍ଟ ଭାଙ୍ଗିବାକୁ ନେଇ ଦଳ ଦୁଃଖିତ ନୁହେଁ। ବିଜେପି କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ। ଦଳ ସର୍ବଦା ନିଜ ସିଦ୍ଧାନ୍ତରେ ଅଟଳ। ବିଜେପି ଗଠବନ୍ଧନର ନିୟମ ପାଳନ କରିଛି। ଏନେଇ କେହି ବିଜେପିକୁ ଆଙ୍ଗଳି ଉଠାଇ ପାରିବେ ନାହିଁ।

Related Posts