ଦିଲ୍ଲୀରେ ଅସମ୍ଭାଳ ବାୟୁ ପ୍ରଦୂଷଣ: ଅତ୍ୟନ୍ତ ଖରାପ ସ୍ତରକୁ ଆସିଲା ବାୟୁର ମାନ

ଭୁବନେଶ୍ୱର,୨୮/୧୦(ସତ୍ୟପାଠ ବ୍ୟୁରୋ):  ଦୁଇ ଦିନର ବ୍ୟବଧାନ ପରେ ଦିଲ୍ଲୀର ବାୟୁଗୁଣବତ୍ତା ପୁଣି ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସି ଆସିଛି। ଏଥିସହିତ ଗତ କିଛି ଦିନ ଧରି ପ୍ରଦୂଷଣ ସ୍ତରରେ ଉନ୍ନତି ଆଣିଥିବା ପବନର ବେଗ ମଧ୍ୟ ହ୍ରାସ ପାଇଛି। ତେଣୁ ଆଗାମୀ ଦିନରେ ପ୍ରଦୂଷଣର ମାତ୍ରା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୯ ରେକର୍ଡ କରାଯାଇଛି, ଯାହା ଶନିବାରର ୨୫୫ ରିଡିଂ ତୁଳନାରେ ଯଥେଷ୍ଟ ଅଧିକ।

ବିଭାଗ ପକ୍ଷରୁ ୪୦ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୬ଟିରୁ ତଥ୍ୟ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଆନନ୍ଦ ବିହାର, ଅଲିପୁର, ବୱାନା, ଜାହାଙ୍ଗୀରପୁରୀ, ମୁଣ୍ଡକା, ୱାଜିରପୁର, ବିବେକ ବିହାର ଓ ସୋନିଆ ବିହାର ଭଳି ୮ଟି ଷ୍ଟେସନରେ ଏକ୍ୟୁଆଇ ରିଡିଂ ଗୁରୁତର ବର୍ଗରେ ଥିବା ବେଳେ ବାକି ୨୮ଟି ଷ୍ଟେସନ ଅତ୍ୟନ୍ତ ଖରାପ ବର୍ଗରେ ରହିଛି।  ବାୟୁମାନ ‘ଅତ୍ୟନ୍ତ ଖରାପ’କୁ ଖସିଲା ଏକ୍ୟୁଆଇ ୩୫୯ କେତେକ ସ୍ଥାନରେ ‘ଗୁରୁତର’ ରହିଛି।

ସୂଚନାଯୋଗ୍ୟ, ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଓ ୪୦୧ରୁ ୫୦୦କୁ ‘ଗୁରୁତର’ ବୋଲି ବିବେଚନା କରାଯାଏ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଆଜି ସହରରେ ପବନର ବେଗ ଘଣ୍ଟା ପ୍ରତି ଶୂନ କିଲୋମିଟର ରହିଥିଲା। ଅନୁକୂଳ ପବନ ଯୋଗୁଁ ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ରୁ ‘ଖରାପ’ ଶ୍ରେଣୀକୁ ଉନ୍ନତ ହୋଇଥିଲା। ରବିବାର ଭୋର ସମୟରେ ସହରରେ ସ୍ମଗ୍ (ଧୂମକୁଜ୍ଝଟିକା)ର ଏକ ସ୍ତର ସୃଷ୍ଟି ହୋଇଥିବାରୁ କୌଣସି ଜିନିଷ ଦୃଶ୍ୟମାନ ହେବା କଷ୍ଟକର ହୋଇପଡ଼ିଥିଲା। ସର୍ବନିମ୍ନ ତାପମାତ୍ରା ୨୦.୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଋତୁର ହାରାହାରି ତାପମାତ୍ରାଠାରୁ ଏକ ଡିଗ୍ରି ଅଧିକ। ସକାଳେ ଆର୍ଦ୍ରତା ସ୍ତର ୯୩ ପ୍ରତିଶତ ଥିବା ଆଇଏମ୍ଡି ସୂଚନା ଦେଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦିନସାରା ଆକାଶ ମୁଖ୍ୟତଃ ସ୍ୱଚ୍ଛ ରହିବ ଏବଂ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୩ ଡିଗ୍ରି ସେଲସିୟସରେ ପହଞ୍ଚିବ।

Related Posts