କଂଗ୍ରେସର ଏକାକୀ ଲଢ଼ିବା ଘୋଷଣା ପରେ ଉଦ୍ଧବଙ୍କ କଟାକ୍ଷ, ଜନତା ସ୍ବାର୍ଥ କେନ୍ଦ୍ରିକ ରାଜନୀତିକୁ ଗ୍ରହଣ କରିବେନାହିଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମହାବିକାଶ ଅଘାଡିରେ ଦିନକୁ ଦିନ ମତଭେଦ ବଢିବାରେ ଲାଗିଛି। ଗତ କିଛିଦିନ ତଳେ ମହାରାଷ୍ଟ୍ର କଂଗ୍ରେସ ସଭାପତି ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢିବ। ଏହା ପରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଉଦ୍ଧବ ଠାକରେ କଟାକ୍ଷ କରି କହିଛନ୍ତି ଯେ , ଯେଉଁ ଲୋକେ ସମସ୍ୟାର ସମାଧାନ ନକରି ଏକାକୀ ନିର୍ବାଚନ ଲଢିବା କଥା କୁହନ୍ତି, ଲୋକେ ସେମାନଙ୍କୁ ଜୋତାରେ ପିଟିବେ। ଶିବସେନାର 55 ତମ ପ୍ରତିଷ୍ଠା ଦିବସ ଅବସରରେ ସେ କହିଛନ୍ତି,ସମସ୍ତ ରାଜନୈତିକ ପାର୍ଟିକୁ ନିଜର ଆକାଂକ୍ଷାକୁ ଅଲଗା ରଖିବା ଉଚିତ୍। ସଂପ୍ରତି ଅର୍ଥବ୍ୟବସ୍ଥା ଓ ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଧ୍ୟାନ ଦେବା ଉଚିତ୍। ଯଦି ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆମେ କେବଳ ରାଜନୀତିରେ ଏକାକୀ ନିର୍ବାଚନ ଲଢିବା କଥା କହିବା, ତେବେ ତ ଲୋକେ ଆମକୁ ଜୋତାରେ ପିଟିବେ। ସେମାନେ ଆମର ପାର୍ଟି-କେନ୍ଦ୍ରିକ, ଉଚ୍ଚାଭିଳାଷୀ କଥାବାର୍ତ୍ତା ଶୁଣିବେ ନାହିଁ।  ” ନିକଟରେ ମୁମ୍ବାଇ କଂଗ୍ରେସ ମୁଖ୍ୟ ଭାଇ ଜଗପାତ କହିଥିଲେ ଯେ , ସେ ଶିବସେନା ସହ ବିନା ହାତ ମିଳାଇ ଆସନ୍ତା ବର୍ଷ ମୁମ୍ବାଇ ମ୍ୟୁନିସପାଲ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି।ଦଶନ୍ଧି ଧରି ପରସ୍ପରର ଘୋର ବିରୋଧୀ ଥିବା ଶିବସେନା ଓ କଂଗ୍ରେସ ୨୦୧୯ରେ ଶିବସେନା ବିଜେପି ଠାରୁ ଅଲଗା ହେବା ପରେ ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ଶିବସେନା ସଭାପତି ଉଦ୍ଧବ ଠାକରେ କହିଛନ୍ତି ଯେ , ବର୍ତ୍ତମାନ ଆମ ସମ୍ମୁଖରେ ୨ଟି ପ୍ରମୁଖ ପ୍ରସଙ୍ଗ ରହିଛି ଗୋଟିଏ ଅର୍ଥବ୍ୟବସ୍ଥା ଓ ଅନ୍ଯଟି ସ୍ଵାସ୍ଥ୍ୟ । ତେଣୁ ଏବେ ସମୟ ଆସିଛି ସମସ୍ତ ରାଜନୈତିକ ଦଳ ସ୍ଥିର କରନ୍ତୁ ଯେ, ସେମାନେ କ୍ଷମତା ପାଇଁ ରାଜନୀତି କରିବାକୁ ଚାହାନ୍ତି ନା ଲୋକଙ୍କ ପାଇଁ କାମ କରିବାକୁ ଆର୍ଥିନୈତିକ କ୍ଷେତ୍ରରେ ଉନ୍ନତି ଆଣିବାକୁ ଚାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ଦଳ ଏକାକୀ ନିର୍ବାଚନ ଲଢିବାକୁ ଚାହାନ୍ତି, ତେବେ ସେମାନେ ପ୍ରଥମେ ଜନତାଙ୍କୁ ଆତ୍ମ ବିଶ୍ଵାସ ଓ ସାହାସ ଦେବା ଉଚିତ୍। ନଚେତ୍ ଲୋକେ ପଚାରିବେ ଯେ, ପାର୍ଟି ପାଖରେ ସେମାନଙ୍କୁ ରୋଜଗାର ଦେବା ପାଇଁ କଣ ଯୋଜନା ରହିଛି।  ସେ କହିଛନ୍ତି, “ସେନା କ୍ଷମତା ପାଇଁ ହତାଶ ହୋଇ ନାହିଁ। ଆମେ ଅନାବଶ୍ୟକ ଭାବରେ ଅନ୍ୟର ଭାର ବହନ କରିବାକୁ ଚାହୁଁ ନାହିଁ। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମେ ସର୍ବଦା ଦୃଢ ଆଭିମୁଖ୍ୟ ଗ୍ରହଣ କରିବୁ। ଏପରିକି ବିନା ଗଠବନ୍ଧନରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ।”

Related Posts