ବାପାମାଆଙ୍କ ନିବେଦନ ଶୁଣି ଆତ୍ମସମର୍ପଣ କଲେ ୨ଜଣ ଆତଙ୍କବାଦୀ

ଶ୍ରୀନଗର: ବାପାମାଆଙ୍କ ନିବେଦନ ଆଗରେ ମୁଣ୍ଡ ନୁଁହାଇଛନ୍ତି ୨ଜଣ ଆତଙ୍କବାଦୀ | ନିରାପତ୍ତା ବଳ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଆତଙ୍କବାଦୀ | ଆଜି ଜମ୍ମୁ ଓ କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳ ଆତଙ୍କବାଦୀ ନିରୋଧୀ ଅଭିଯାନ ଚଳାଇଥିବା ବେଳେ ବାପାମାଆଙ୍କ ନିବେଦନ ଶୁଣି୨ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି |

ପୁଲିସ କହିବା ଅନୁସାରେ, ଆଜି ସକାଳେ ହଦିଗାମ୍‌ ଗାଁରେ ଉପରୋକ୍ତ ଅଭିଯାନ ଆରମ୍ଭ ହୋଇଥିଲା | ଅଭିଯାନ ସଂକ୍ରାନ୍ତରେ ଟୁଇଟ୍‌ କରି କଶ୍ମୀର ପୁଲିସ ଲେଖିଛି: କୁଲ୍‌ଗାମ୍‌ର ହଦିଗାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ପୁଲିସ ଓ ନିରାପତ୍ତା ବଳ ଏହି ଅଭିଯାନ ଚଳାଇଛନ୍ତି। ପରେ ପରେ ଅଧିକ ସବିଶେଷ ବିବରଣୀ ଦିଆଯିବ।

ପୁଲିସ କହିବା ଅନୁସାରେ, ଅଭିଯାନ ସମୟରେ ୨ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଘେରରେ ଥିବା ବେଳେ ସେମାନଙ୍କ ବାପାମାଆଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲା। ଆତ୍ମସମର୍ପଣ କରୁନ୍ତୁ ବୋଲି ସେମାନ‌େ ନିଜ ନିଜର ପିଲାମାନଙ୍କୁ (ଆତଙ୍କବାଦୀ) ଆକୁଳ ନିବେଦନ କରିଥିଲେ।

ଏହାପରେ ଆତ୍ମଗୋପନ କରିଥିବା ୨ଜଣ ଆତଙ୍କବାଦୀ ବାହାରକୁ ଆସି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଏ ବିଷୟରେ ଟୁଇଟ୍‌ କରି ଜମ୍ମୁ ଓ କଶ୍ମୀର ପୁଲିସ ଲେଖିଛି: ଏନ୍‌କାଉଣ୍ଟର୍‌ ସମୟରେ ନିଜ ନିଜର ପିତାମାତାଙ୍କ ନିବଦେନ ଶୁଣି ୨ଜଣ ସ୍ଥାନୀୟ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି |

Related Posts