(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଦୀର୍ଘ ୪୮ଘଣ୍ଟାର ଉଦ୍ୟମ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ନଦୀରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଶାଳିଆ ନଦୀରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ବାଣପୁର ସ୍ଥିତ ସାଳିଆ ନଦୀରେ ବେଙ୍ଗରାଜ ପଲ୍ଲୀ ବରସାହି ନଦୀ ତୁଠରୁ ନିଖୋଜ ହୋଇଯାଇଥିଲେ ବୃଦ୍ଧ ଚରଣ ବେହେରା । ନିଖୋଜ ହେବାର ଦୀର୍ଘ ଦୁଇ ଦିନ ହେବ ଅଗ୍ନିଶମ ବାହିନୀ, ସ୍ଥାନୀୟ ବାସିନ୍ଦା ଏବଂ ପୁଲିସର ସହଯୋଗ ଏବଂ ପରିଶ୍ରମ ବଳରେ ଆଜି ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ ସର୍ଚ୍ଚ ଅପେରସନ କରୁଥିବା ବେଳେ ବୃଦ୍ଧଙ୍କ ମୃତଦେହ ଠାବ କରିଛି। ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀରୁ ଚରଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ।
ତେବେ ଏଠାରେ ସୂଚନା ଥାଉକି, ଗତ ୨୦ ତାରିଖ ସକାଳ ୬ଟାରେ ୬୦ ବର୍ଷୀୟ ବୃଦ୍ଧ ଚରଣ ବେହେରା ଶୌଚ ହେବା ପାଇଁ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଦୀ) କୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହାପରେ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ବହୁ ଚେଷ୍ଟା ସତ୍ବେ ବୃଦ୍ଧ ଚରଣ ବେହେରାଙ୍କ ସନ୍ଧାନ ମିଳିପାରିନଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶେଷରେ ଆଜି ଆଜି ଚରଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ମୃତଦେହର ପୋଷ୍ଟମର୍ଟମ ପରେ ମୃତକ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।