ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ଓଡିଶାର ୨ ଜଣ କଂଗ୍ରେସ ବିଧାୟକ । କେବଳ ମହମ୍ମଦ ମୋକିମ୍ ନୁହଁନ୍ତି, ତାଙ୍କ ସହିତ ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ୍ ମାଝି। ମୋହନ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅକୁ ସମସ୍ତେ ସମର୍ଥନ କଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲେ । ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି । ଯାହାକି ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ବୋଲି ମୋହନ ମାଝି କହିଛନ୍ତି ।
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ମାଟିର ଝିଅକୁ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ସମର୍ଥନ ଦେଇଥିବାବେଳେ, କଂଗ୍ରେସ ବିଧାୟକ ହୋଇ ମଧ୍ୟ ଦଳୀୟ ନିର୍ଦ୍ଦେଶକୁ ନମାନି ମହମ୍ମଦ ମୋକିମ୍ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିଲେ । ଏହାକୁ ନେଇ କଂଗ୍ରେସ ଶିବିରରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା । ଯାହାର ଜବାବରେ ନିଜେ ମୋକିମ୍ କହିଥିଲେ, ତାଙ୍କପାଇଁ ପାର୍ଟିଠାରୁ ମାଟି ବଡ଼, ନିଜ ମନ ମୁତାବକ ସେ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି । ହେଲେ ତାଙ୍କ ପରେ ମଧ୍ୟ ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିବା କଥା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ତେବେ ସେହି କଂଗ୍ରେସ ବିଧାୟକ ଜଣକ କିଏ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ବୋଲି ମୋହନ କହିଛନ୍ତି।