ତ୍ରିପୁରାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ: ଆଜି ଶପଥ ନେବେ ମାଣିକ ସାହା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବା ପରେ ତ୍ରିପୁରାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ | ତେବେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ସାହା | ପୂର୍ବାହ୍ନ 11:30 ସମୟରେ ଅଗରତାଲା ରାଜ ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ରାଜ୍ୟସଭାର ସାଂସଦ ରହିଛନ୍ତି ।

ପେଷାରେ ଜଣେ ଦନ୍ତ ଚିକିତ୍ସକ ଥିବା ମାଣିକ ସାହା ଆସନ୍ତାବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି । କାରଣ ଆସନ୍ତା ବର୍ଷ ଏହି ନର୍ଥଇଷ୍ଟ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତୃଣମୂଳ କଂଗ୍ରେସ ଏହି ରାଜ୍ୟରେ ନିଜର ଶକ୍ତିବୃଦ୍ଧି କରୁଥିବାରୁ ଡକ୍ଟର ସାହାଙ୍କ ନେତୃତ୍ବରେ ଦଳ ଏଠାରେ ପୁଣି ବିଧାନସଭା ନିର୍ବାଚନ ଜିତିବାକୁ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବାର କିଛି ଘଣ୍ଟା ପରେ BJP ବିଧାୟକ ଦଳ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାଁରେ ମୋହର ମାରିଥିଲା ।2016ରେ ମାଣିକ ସାହା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । 2020ରେ ତାଙ୍କୁ ତ୍ରିପୁରା ବିଜେପି ପ୍ରାଦେଶିକ ମୁଖ୍ୟ ଭାବେ ଦଳ ଦାୟିତ୍ବ ଦେଇଥିଲା ଓ ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ରାଜ୍ୟରେ ହଠାତ ମୁଖ୍ୟମନ୍ତ୍ରୀ ବଦଳ ସମସ୍ତଙ୍କୁ ଚକିତ କରିଛି । ବିପ୍ଲବ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ 25 ବର୍ଷର କମ୍ୟୁନିଷ୍ଟ ଶାସନ ଶେଷପରେ ବର୍ଷ 2018ରେ ତ୍ରିପୁରାରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ନେଇଥିଲେ ।

Related Posts