ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ (ପିଏମ୍ଓ) ପକ୍ଷରୁ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଘୋଷଣା ହୋଇଛି ।
ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ପରିବାରଙ୍କ ପ୍ରତି ମୋଦି ସମବେଦନା ଜଣାଇଥିଲେ ।ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଓ ୫୦ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡ ମଧ୍ୟ ରହିଛନ୍ତି । ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ଏବେ ସୁଦ୍ଧା ୧୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାସରିଛି । ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି । ତ୍ୱରିତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଥିବା କହିଛନ୍ତି ସିପିଆରଓ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୫ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।