ଟୋକିଓ ଅଲିମ୍ପିକ୍ସ : ସେମି ଫାଇନାଲରେ ପହଞ୍ଚିଲେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଶୁକ୍ରବାର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବକ୍ସିଂରେ ଆସାମର ୨୩ ବର୍ଷିୟ ମହିଳା ବକ୍ସର ଲେଭଲିନା ବକ୍ସରରେ ପଦକ ପକ୍କା କରିବା ପରେ ଏବେ ବ୍ୟାଡମିଣ୍ଟନରେ ମେଡାଲ ନିଶ୍ଚିତ କରିଛନ୍ତି ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ସିନ୍ଧୁ କ୍ୱାର୍ଟର ଫାଇନାଲରେ ଜାପାନର ଆକାନେ ୟାମାଗୁଚୀଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି । ୟାମାଗୁଚିଙ୍କୁ ପ୍ରଥମ ସେଟ୍‌ରେ ୨୧-୧୩, ଦ୍ୱିତୀୟ ସେଟ୍‌ରେ ୨୨-୨୦ରେ ହରାଇ ସିନ୍ଧୁ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି।

ତେବେ ସେମି ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ ଓ ଇନ୍ତାନନ୍ ରତଚାନୋକଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର୍ ଫାଇନାଲର ବିଜେତା ସହ ହେବ।

ସିନ୍ଧୁ ଆରମ୍ଭରୁ ୫-୬ରେ ପଛୁଆ ରହିଥିଲେ। କିନ୍ତୁ ପରେ ସେ ଦମଦାର କମବ୍ୟାକ୍ କରିଥିଲେ। ସେ ବ୍ରେକ୍ ସୁଦ୍ଧା ୧୧-୭ ରେ ଆଗୁଆ ଥିଲେ। ଦ୍ୱିତୀୟ ସେଟ୍ ରେ ୧୮-୧୩ରେ ଆଗୁଆ ଥିବା ସିନ୍ଧୁ ଲଗାତର ତିନି ପଏଣ୍ଟ ହାସଲ କରି ଗେମକୁ ନିଜ ନାଁରେ କରିଥିଲେ। ଦ୍ୱିତୀୟ ସେଟ୍ ରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ବ୍ରେକ୍ ସୁଦ୍ଧା ୧୧-୬ରେ ଆଗୁଆ ରହିଥିଲେ ।

ବ୍ରେକ୍ ପରେ ମଧ୍ୟ ସିନ୍ଧୁ ୧୫-୧୧ରେ ଆଗୁଆ ରହିଥିଲେ। କିନ୍ତୁ ଏହି ସମୟରେ ୟାମାଗୁଚି ଲଗାତର ୫ ପଏଣ୍ଟ ହାସଲ କରି ଗେମରେ ୧୬-୧୫ରେ ଆଗୁଆ ହୋଇଥିଲେ। ୟାମାଗୁଚି ଚମତ୍କାର କମବ୍ୟାକ୍ କରି ୨୦-୧୯ରେ ଆଗୁଆ ଥିଲେ, କିନ୍ତୁ ସିନ୍ଧୁ ଲଗାତର ୩ ପଏଣ୍ଟ ହାସଲ କରି ୨୨-୨୦ରେ ଗେମ୍ କୁ ନିଜ ନାଁରେ କରିବା ସହ ମ୍ୟାଚକୁ ଜିତି ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତ ଅଲିମ୍ପିକ୍ସରେ ସିନ୍ଧୁ ଏପର୍ଯ୍ୟନ୍ତ ଗୋଟିଏ ବି ଗେମ୍ ହାରିନାହାନ୍ତି।

ସୂଚନାଯୋଗ୍ଯ ଯେ ରିଓ ଅଲିମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ପି ଭି ସିନ୍ଧୁ । ସେହିପରି ଭାରତର ଟପ୍ ମହିଳା ତୀରାନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟର କ୍ୱାର୍ଟର୍ ଫାଇନାଲରେ ଦକ୍ଷିଣ କୋରିଆର ସାମ୍ ଏନଙ୍କ ଠାରୁ ୦-୬ରେ ପରାସ୍ତ ହୋଇଛନ୍ତି। ଦୀପିକାଙ୍କୁ ଦକ୍ଷିଣ କୋରିଆଙ୍କ ତୀରନ୍ଦାଜ ପ୍ରଥମ ସେଟରେ ୩୦-୨୭, ଦ୍ୱିତୀୟ ସେଟରେ ୨୬-୨୪ ଓ ତୃତୀୟ ସେଟରେ ୨୬-୨୪ରେ ହରାଇଛନ୍ତି।

Related Posts