ଦୀର୍ଘ ୧୪ ଦିନ ଧରି ଚାଲିଥିବା ବ୍ରହ୍ମଗିରିରେ ଅଲାରନାଥଙ୍କ ଅନବସରର ଆଜି ଶେଷ ଦର୍ଶନ

ବ୍ରହ୍ମଗିରି : ମହାପ୍ରଭୂ ଜଗନ୍ନାଥ ଜ୍ବରରେ ପୀଡ଼ିତ ଥିବା ବେଳେ, ସେପଟେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ ବ୍ରହ୍ମଗିରି ଅଲାରନାଥ । ପୀଠରେ ଜମୁଥିଲା ହଜାର ହଜାର ଭକ୍ତଙ୍କ ସମାଗମ । ତେବେ ଆଜି ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ ।

୧୪ ଦିନ ଧରି ଚାଲିଥିବା ଅନବସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି । ୧୪ ଦିନ ପରେ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।

ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ହୋଇଥିଲା ଜ୍ୱର । କିନ୍ତୁ ଏହି ୧୪ ଦିନ ପାଇଁ ଭକ୍ତଙ୍କୁ ଦର୍ଶନରୁ ବଂଚିତ ନ କରିବା ପାଇଁ ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଥିଲେ ଦର୍ଶନ । ନାରାୟଣଙ୍କ ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ଜଗନ୍ନାଥ ପ୍ରେମୀ ଭକ୍ତ । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ନିଜ ଜୀବନକୁ ଭାଗ୍ୟ ମଣିଛନ୍ତି ଶ୍ରଦ୍ଧାଳୁ ।

ଖିରିଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ । ଆଜି ଭୋର ୩.୩୦ ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ଅନବସର ବେଶ, ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ୫.୩୦ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Related Posts