ରାଜ୍ୟସଭା ମଧ୍ୟଭାଗରେ ହଂଗାମା କରି ନିଲମ୍ବିତ ହେଲେ ଟିଏମ୍‌ସି ସାଂସଦ ଡେରେକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂସଦ ସୁରକ୍ଷାରେ ଦେଖାଦେଇଥିବା ବଡ଼ ଧରଣର ବିଭ୍ରାଟ ପାଇଁ ଆଜି ଦେଖିବାକୁ ମିଳିଛି ବିରୋଧୀଙ୍କ ହଂଗାମା । ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ, ନାରାବାଜି କରିବାରୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ଟିଏମ୍‌ସି ସାଂସଦ ଡେରେକ ଓ ବ୍ରାୟନଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ତୁରନ୍ତ ତାଙ୍କୁ ଗୃହ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଂସଦ ଭବନର ସୁରକ୍ଷାରେ ତ୍ରୁଟିକୁ ନେଇ ସାଂସଦ ଡେରେକ ଓ ବ୍ରାୟନ ଆଜି ରାଜ୍ୟସଭାର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ହଟ୍ଟଗୋଳ ବି କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧିତ ହୋଇଥିଲା। ତେଣୁ ଗୃହରେ ଅପମାନଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଡେରାକଙ୍କୁ ଚଳିତ ଶୀତକାଳୀନ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା। ଗୃହର କାର୍ଯ୍ୟରେ ବାଧା ପହଞ୍ଚାଇଥବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେଣୁ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଅପରପକ୍ଷେ, ଏହି ଘଟଣାକୁ ନେଇ ବିପକ୍ଷ ଗୃହରେ ଅରାଜକତା ସୃଷ୍ଟି କରୁଥିବା ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି, ଗତକାଲିର ତ୍ରୁଟି ହେଉଛି ଲୋକସଭା ସଚିବାଳୟର ଦାୟିତ୍ୱ । ଲୋକସଭା ଅଧ୍ୟକ୍ଷ ହିସାବରେ ଏହି ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ଏହି ଘଟଣାରେ ସରକାରଙ୍କର କୌଣସି ସମ୍ପୃକ୍ତି ନାହିଁ। ସଚିବାଳୟ କାମରେ ସରକାର କେବେ ବି ହସ୍ତକ୍ଷେପ କରୁ ନ ଥିବା ବେଳେ ଏହା କରିବାକୁ ବି ଦିଆଯିବନି ବୋଲି ସେ ସଫା ସଫା ଶୁଣାଇ ଦେଇଛନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି ।

ସେପଟେ ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ଭିଜିଟର୍ସ ପାସ୍‌ ଦେଖାଇ ଦୁଇ ଯୁବକ ସଂସଦ ଭବନକୁ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହାପରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସଂସଦ ଭବନ ମଧ୍ୟକୁ ଭିଜିଟର୍ସ ପାସ୍‌କୁ ବନ୍ଦ କରି ଦିଆଯାଇଛି।

Related Posts