ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: କହିଲେ,” ରାଜ୍ୟର ସାଢ଼େ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ଆଜି ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି କରୋନା ମୁକାବିଲାରେ ଜୀବନ ଦେଇଥିବା ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ୭୫ତମ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି  ଘୋଷଣା କରିଛନ୍ତି ଯେ, ” ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯିବ ଏବଂ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଏହି କାର୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ‘ସାରା ଓଡ଼ିଶା ହେଉଛି ମୋ ପରିବାର। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠପଢ଼ା ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ହୋଇଥାଏ । ତେଣୁ ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ- ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ଦିଆଯିବ। ହେଲଥ୍ କାର୍ଡ଼ ହିତାଧିକାରୀଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ। ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।  ହକିରେ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ । ଯାହା ଦେଶର ଗୌରବକୁ ବଢାଇଛି । ଓଡ଼ିଶାର ଭାରତୀୟ ହକି ଦଳର ପ୍ରାୟୋଜକ ହେବା ସହ ଲକ୍ଷ୍ୟ ରଖିଥିଲା କିଭଳି ହକିକୁ ପୁଣିଥରେ ଦେଶରେ ଲୋକପ୍ରିୟ କରିବା, ଟିମକୁ ଶ୍ରେଷ୍ଠ ଭାବେ ଗଢିତୋଳିବା । 

ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆମ ଖେଳାଳି । ହକି ଖେଳାଳିଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ , କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ଓଡ଼ିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏହା ଓଡ଼ିଶା ପାଇଁ ଗର୍ବର ବିଷୟ।

Related Posts