ପାଞ୍ଚ ହଜାର ଲୋକଙ୍କୁ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ହେବ ପଦଯାତ୍ରା: ସୁର ରାଉତରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧରେ ସାରା ରାଜ୍ୟରେ ସ୍ୱର ଉତ୍ତୋଳନ ହେବାରେ ଲାଗିଛି । ନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରକଳ୍ପକୁ ବିରୋଧ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପ୍ରକଳ୍ପ ବିରୋଧରେ ପୁରୀରେ ପଦଯାତ୍ରା ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ତେବେ ପ୍ରସ୍ତୁତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜଗନ୍ନାଥ ପ୍ରେମୀମାନେ ଏକାଠି ହୋଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏଁ ପଦଯାତ୍ରା କରିବେ । ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ଖନନ ଓ ନିର୍ମାଣ କରି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଏହି ପଦଯାତ୍ରା କରା ଯାଉଛି । ଏହା ସହ ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ନେଇ ଏହି ପଦଯାତ୍ରା କରାଯିବ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଦଳ ମତ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ବିଧାୟକ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କଠାରୁ ଆରମ୍ଭ କରି ବିଜେଡିର ନେତା ମନ୍ତ୍ରୀମାନେ ଏଥିରେ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ସେପଟେ ହାଇକୋର୍ଟରେ ଏଏସଆର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ଚୁପ ରହିଥିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗ । ଏପରିକି ତଥ୍ୟ ରଖିବା ପାଇଁ ସମୟ ମାଗିଥିବାରୁ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ନେତା । ବେଆଇନ ଖନନ ନେଇ ଏଏସଆଇ ନିକଟରେ ସବୁ ତଥ୍ୟ ଥାଇ ସୁଦ୍ଧା ହାଇକୋର୍ଟରେ କାହିଁକି ସଂସ୍ଥା ନୀରବ ରହିଲା ତାକୁ ନେଇ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର । ଶ୍ରୀମନ୍ଦିର କ୍ଷେତ୍ରରେ ଏସଏସଆଇର ଅବହେଳାକୁ ସେ ଅକ୍ଷମଣୀୟ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts