ଗୋଟିଏ ମିଛ ଲୁଚାଇବାକୁ ଯାଇ ହଜାରେ ମିଛ କହୁଛନ୍ତି ପୁରୀ ସାଂସଦ: ସମ୍ବିତ ପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିରୋଧୀ ଏହି ପ୍ରକଳ୍ପକୁ ନେଇ ଶାସକ ଦଳକୁ ଘେରିବାରେ ଲାଗିଛି । ସେପଟେ ନିଜକୁ ବଞ୍ଚାଇବାକୁ ଯାଇ ଶାସକ ଦଳର ନେତାମାନେ ଅନେକ ମିଛ ସତ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପୁଣିଥରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଗୋଟିଏ ମିଛ ଲୁଚାଇବାକୁ ୧୦୦୦ଟି ମିଛ କହିବାକୁ ପଡ଼େ। ଆଜି ପୁଣି ଥରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି। ସେ କେଉଁ ଭଳି ଭାବେ ଘଣ୍ଟଘୋଡ଼ାଇ ସତ୍ୟକୁ ଲୁଚାଇ ରଖିଥିଲେ ଓ ମିଛକୁ ଉପସ୍ଥାପିତ କରୁଥିଲେ, ତାହା ପୁଣି ଧରାପଡ଼ିଛି। ରାତି ଅଧରେ ଲୁଚେଇ ଲୁଚେଇ ତରବରିଆ ଭାବେ ଜିପିଆର ସର୍ଭେ କରାଯାଉଛି। ସେ କହିଛନ୍ତି, କିଛି ଦିନ ତଳେ ଏମାର ମଠ ପରିସରରେ ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ବାହାରିଥିଲା।

ସେତେବେଳେ ଆମେ ଅଭିଯୋଗ କରିଥିଲୁ ଯେ ସରକାର ଓ ଓବିସିସି ଯାହା କରୁଛନ୍ତି, ତାହା ଠିକ୍ ନୁହେଁ। ଖନନ କାର‌୍ୟ୍ୟ କରିବା ପୂର୍ବରୁ ଜିପିଆର୍ ସର୍ଭେ କରିବାର ଥିଲା। ସେତେବେଳେ ପିନାକୀ ମିଶ୍ର ଏକ ଲମ୍ବାଚଉଡ଼ା ଟ୍ୱିଟ୍ କରିଥିଲେ। ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜିପିଆର୍ ସର୍ଭେ ହୋଇସାରିଛି। ଜିପିଆର୍ ସର୍ଭେ ହୋଇନି ବୋଲି ଯାହା କୁହାଯାଉଛି, ତାହା ଭିତ୍ତିହୀନ। ଜିପିଆର୍ ସର୍ଭେ ହୋଇଯାଇଛି ଓ ହାଇକୋର୍ଟରେ ତାକୁ ଦାଖଲ କରାଯିବ। ପିନାକୀ ବାବୁ, ଯଦି ଜିପିଆର୍ ସର୍ଭେ ହୋଇଥିଲା, ତା’ହେଲେ ଗତକାଲି ରାତି ଅଧରେ ଯାହା ଚାଲିଥିଲା, ତାହା କ’ଣ? ଏମାର ମଠ ସ୍ଥାନରେ ଖନନ କାର‌୍ୟ୍ୟ ହୋଇସାରିଥିବା ବେଳେ ଆଇଆଇଟି ଗାନ୍ଧୀନଗରରୁ ଆସି କର୍ମଚାରୀମାନେ ଜିପିଆର୍ ସର୍ଭେ କରୁଛନ୍ତି କାହିଁକି? ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts