ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନୋଟିସ୍‌ ଜାରି

ବାଲେଶ୍ୱର: ଅଚାନକ ବାଲେଶ୍ଵରର ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ଏହି ସମୟରେ ଜଣେ ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହୋଇଛନ୍ତି ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।

ଆସନ୍ତା ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ମଧ୍ୟ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଣ ଶିକ୍ଷା ମନ୍ତ୍ରୀ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଛାନିଆ ହୋଇ ଯାଇଛନ୍ତି ଶିକ୍ଷକଶିକ୍ଷୟିତ୍ରୀ।

ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗୁ ଦେବାକୁ ବାଲେଶ୍ୱର ଜିଲ୍ଲା ଗସ୍ତରେ ଥିବା ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଅଚାନକ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ଏହା ମଧ୍ୟରେ ଜିଳ୍ଲାର ଆଜିମାବାଦ ୟୁଜି ୟୁପି ସ୍କୁଲ, ମହାବୀର ନୋଡାଲ ୟୁପି ସ୍କୁଲ, ବାରବାଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲେଶ୍ୱର ଟାଉନ ଉଚ୍ଚ ବିଦ୍ୟାଳୟ ଆଦି ରହିଛି।

ଆଜି ସକାଳେ ମହାବୀର ନୋଡାଲ ୟୁପି ସ୍କୁଲ ପରିଦର୍ଶନ ସମୟରେ ମନ୍ତ୍ରୀ କ୍ଲାସ୍‌ ରୁମ୍‌ରେ ଥିବା ପିଲାଙ୍କ ସହ କଥା ହୋଇଥିଲେ। ମନ୍ତ୍ରୀ ତୃତୀୟ ଶ୍ରେଣୀ ପିଲାଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କୁ ପଣିକିଆ ପଚାରିଥିଲେ। ମାତ୍ର ସେମାନେ ତିନିକ ପଣିକିଆ ଠିକ୍‌ ଭାବେ କହି ପାରି ନ ଥିଲେ।

ଏଥିରେ କ୍ଷୁବ୍ଧ ହୋଇଯାଇଥିବା ମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜବାବ ତଲବ କରିଥିଲେ। ଏହାଦ୍ୱାରା ସ୍କୁଲରେ କିପରି ଶିକ୍ଷାଦାନ ଚାଲିଛି ବୋଲି ମନ୍ତ୍ରୀ ପଚାରି ବୁଝିଥିଲେ। ମାତ୍ର ପ୍ରଧାନଶିକ୍ଷୟିତ୍ରୀଜଣକ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମନ୍ତ୍ରୀ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts