‘ଆମ ଯୋଜନାର ନାଁକୁ ବଦଳାଇ ଦେଉଥିଲେ..’: ଭୁବନେଶ୍ୱରରେ ମୋଦିଙ୍କ ଟାର୍ଗେଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀରେ ପହଞ୍ଚିବା ପରେ ଏକ ସଭାକୁ ସମ୍ବୋଧନ କରିବାକୁ ଯାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ବଲାଙ୍ଗୀରର ଭଲ ମସଲା ଚା ପିଇଥିଲେ ବୋଲି ମଧ୍ୟ କହିଥିଲେ ।

ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା। ଯେଉଁ ରାଜ୍ୟରେ ଆମ ସରକାର ନଥିଲା, ସେଠାରେ ଆମର ଯୋଜନାର ନାମକୁ ବଦଳାଇ ଦେଉଥିଲେ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି ନୂଆନୂଆ ଯୋଜନା ଭେଟି ଦେଇଛି।

ଅନ୍ୟପଟେ ବିରୋଧୀଙ୍କୁ ନିଶାନା କରିବାକୁ ମଧ୍ୟ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ରାଜନୀତିରେ ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି । ଚୌକିଦାର ଚୋର୍ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଓଡ଼ିଶାବାସୀ ସଫଳତାର ସହ ବାଲିଯାତ୍ରା କରିଛନ୍ତି । ଶହେରୁ ଊର୍ଦ୍ଧ୍ୱ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି । ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି ବୋଲି ମଧ୍ୟ କହିଥିଲେ ।

ମୋଦି ତାଙ୍କ ଭାଷଣରେ କହିଥିଲେ, ଡିସେମ୍ବର ୪ରେ ନୌସେନା ଦିବସ ଓଡ଼ିଶାରେ ପାଳନ ହେବ । ଜାନୁଆରୀରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ସାରା ବିଶ୍ୱରୁ ଲୋକ ଭୁବନେଶ୍ୱରକୁ ଆସିବେ । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ ବୋଲି ମଧ୍ୟ କହିଥିଲେ ।

Related Posts