କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ, ୧୪ବିଷୟକୁ ମାତ୍ର ୧୭ ଶିକ୍ଷକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ଶିକ୍ଷାନୁଷ୍ଠାନରେ ନାହାନ୍ତି ଆବଶ୍ୟକ ପରିମାଣର ଶିକ୍ଷକ। ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ସୂଚନା ମୁତାବକ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ୯୦ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡିଛି ।

କୋରାପୁଟ ସ୍ଥିତ ସୁନାବେଡା ନିକଟରେ ରହିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ସଂସଦରେ ଏକ ସ୍ୱତନ୍ତ୍ର ବିଧେୟକ ଆଣି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଚାଲିଥିବା ଏହି ବିଶ୍ବବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନର ୧୪ଟି ବିଷୟରେ ପାଠପଢାଯିବାର ପ୍ରାବଧାନ ରହିଛି। ଏତଦ୍ ବ୍ୟତୀତ ପିଏଚ୍‍ଡି ସମେତ ଅନ୍ୟାନ୍ୟ ଗବେଷଣା ଲାଗି ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବାବେଳେ ଅଧିକାଂଶ ବିଭାଗରେ ନିୟମିତ ପ୍ରଫେସର ଓ ସହଯୋଗୀ ପ୍ରଫେସର ନାହାନ୍ତି ।

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ମୋଟ ୧୫୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଥିବାବେଳେ ସେଥି ମଧ୍ୟରୁ ୧୩୭ଟି ଏବେବି ଖାଲିପଡିଛି । ତେବେ ମାତ୍ର ୧୭ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ବିଶ୍ୱବିଦ୍ୟାଳୟ । ଶିକ୍ଷକ ଅଭାବ ଯୋଗୁଁ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି।

କରୋନା କବଳରେ ଦୁଇଟି ଶିକ୍ଷାବର୍ଷ ରହିଯାଇଥିବାରୁ ଶିକ୍ଷକ ଅଭାବ ସେତେଟା ପରିଲିକ୍ଷିତ ହେଉନାହିଁ । ପ୍ରାୟ ୯୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଏହି ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ ତୃତୀୟ ଓ ଚତୁର୍ଥଶ୍ରେଣୀର କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀ ପଦବୀ ମଧ୍ୟ ଖାଲିପଡିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସବୁ ପୂରଣ ଲାଗି ବାରମ୍ବାର ଦାବି ଉଠୁଥିବା ସତ୍ବେ ରାଜ୍ୟର କୌଣସି ରାଜନୈତିକଦଳ କିମ୍ବା ଛାତ୍ର ସଂଗଠନ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଉ ନାହାନ୍ତି।

ଏବେ ଯେତେବେଳ ଓଡିଶାର ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ତେଣୁ ଆଶା କରାଯାଉଛି ଯେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଶୀଘ୍ର ପୂରଣହେବ। ଏବଂ ଏଠାରେ ନୂଆ ନୂଆ ପାଠ୍ୟକ୍ରମ ଖୋଲିବା ସହିତ ଭିତ୍ତିଭୂମିର ବିକାଶ ହେବାର ସମ୍ଭାବନା ରହିଛି । ଏହି କ୍ରମରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବିଶ୍ୱବିଦ୍ୟାଳୟ ଗସ୍ତରେ ଆସି ସମସ୍ୟା ଓ ସମ୍ଭାବନାର ସମୀକ୍ଷା କରିବାକୁ ମତପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,, ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଭଳି ଭାଷା ସହିତ ନୃତତ୍ୱ,ସମାଜବିଜ୍ଞାନ, ଅର୍ଥନୀତି, ସାମ୍ବାଦିକତା, ଶିକ୍ଷା, ଗଣିତ, କମ୍ପ୍ୟୁଟରବିଜ୍ଞାନ, ପରିସଂଖାନ, ବ୍ୟବସାୟ ପ୍ରବନ୍ଧନ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଭଳି ବିଷୟମାନ ରହିଛି । ତେବେ ଏ ସବୁ ବାଦ୍ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ, ଆଇନ୍‍ ଆଦି ବିଷୟର ପାଠ୍ୟକ୍ରମ ଖୋଲିବାପାଇଁ ଦଳ ମତ ନିର୍ବିଶେଷରେ ମତପ୍ରକାଶ ପାଉଛି ।

Related Posts