(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିକୁ ବିଜୟୀ କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ଦଳରେ ସାମିଲ ହେବାକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପିକେଙ୍କ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ମଧ୍ୟରେ ଏବେ କଂଗ୍ରେସ ଦଳ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଥିବା କୁହାଯାଉଛି।
ଚର୍ଚ୍ଚା ହେଉଛି ଯେ ପିକେ ଯଦି କଂଗ୍ରେସରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ସହ ସେ ଦଳ ଭିତରେ ବହୁତ ଶକ୍ତିଶାଳୀ ହୋଇଯିବେ। ଏ ସବୁ ବାଦ ବିବାଦକୁ ଦୃଷ୍ଟିରେ ରଖି ପିକେଙ୍କ କଂଗ୍ରେସରେ ସାମିଲ ହେବା କେବଳ ଗାନ୍ଧୀ ପରିବାର ମଧ୍ୟରେ ହିଁ ସୀମିତ ରଖାଯାଇଛି। ମିଳୁଥିବା ସୂଚନା ମୁତାବକ, ଗତ କିଛିଦିନ ତଳେ ପିକେ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏ ପ୍ରସଙ୍ଗରେ ଦଳର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।
କୁହାଯାଉଛି ଯେ କଂଗ୍ରେସ ଦଳରେ ସୁଧାର ଆଣିବା ପାଇଁ ଗତବର୍ଷ ଯେଉଁ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠିଲେଖି ତଥାକଥିତ ଜି-୨୩ ଭାବେ ପରିଚିତ ହୋଇଥିଲେ ସେମାନେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ଦଳରେ ସାମିଲ ହେବା ବିରୋଧୀ ଅଟନ୍ତି। କେବଳ ବିବାଦ ଏତିକିରେ ଥମି ନାହିଁ କଂଗ୍ରେସ ଦଳର ଆଉ ଏକ ବଡ଼ ଗୋଷ୍ଠୀ ମଧ୍ୟ ଜି-୨୩ ଗୋଷ୍ଠୀ ସହ ଏକମତ ବୋଲି ଚର୍ଚ୍ଚା ହେଉଛି । ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ଘଟଣାକୁ ବିରୋଧ କରୁଥିବା ଗୋଷ୍ଠୀ ନିକଟରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିିବଲଙ୍କ ବାସଭବନରେ ଏକତ୍ରିତ ହୋଇ ଏହାକୁ କିପରି ବିରୋଧ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।
ସେହିପରି କଂଗ୍ରେସର ଆଉ ଏକଗୋଷ୍ଠୀ ପ୍ରାଶନ୍ତ କିଶୋରଙ୍କୁ ଦଳରେ ସାମିଲ କରାଯିବା ସପକ୍ଷରେ ଅଛନ୍ତି। ସେମାନଙ୍କ ଦାବି ହେଉଛି ପିକେ ଦଳରେ ଯୋଗ ଦେଲେ ଦଳ ମଜବୁତ୍ ହେବ। କାରଣ ରାଜନୈତିକ ଦଳଗୁଡିକୁ ନିର୍ବାଚନରେ ଜିତାଇବାରେ ପ୍ରଶାନ୍ତ କିଶୋରଙ୍କର ଭଲ ରେକର୍ଡ଼ ରହିଛି । ନିକଟରେ ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିକୁ ବହୁମତ ଦେବାରେ ପିକେଙ୍କର ବହୁତ ବଡ଼ ଭୂମିକା ଥିଲା। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଯୋଗୁ ଡିଏମ୍କେ କ୍ଷମତାକୁ ଆସିପାରିଥିଲା।
ଯଦି ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦିଅନ୍ତି ତେବେ ସବୁଠାରୁ ମୁଖ୍ୟ ବିବାଦୀୟ ପ୍ରସଙ୍ଗଟି ହେଉଛି ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ ଏକ ପୃଥକ ନିର୍ବାଚନ ଅଭିଯାନ କମିଟି ରହିବ ନା ସେ ବର୍ତ୍ତମାନର ବ୍ୟବସ୍ଥା ମଧ୍ୟରେ ରହି କାର୍ଯ୍ୟ କରିବେ ?
ଏଠାରେ ସୂଚନା ଥାଉକି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, ୨୦୧୭ ୟୁପି ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହ କାମ କରିସାରିଛନ୍ତି। ତେବେ, ପ୍ରଶାନ୍ତ କିଶୋରଙ୍କ ଦଳରେ ଯୋଗଦାନକୁ କେନ୍ଦ୍ରକରି ଦଳ ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇପଡ଼ିଥିବା ବେଳେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ ହିଁ ନେବେ ବୋଲି ସୂଚନା ମିଳିଛି।