‘ଗୋବିନ୍ଦ ସାହୁ ମୃତ୍ୟୁ ପଛରେ ବଡ ଷଡଯନ୍ତ୍ର ରହିଛି, ଘଟଣାର ସିବିଆଇ ତଦନ୍ତ ହେଉ’: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଛି। ଜେଲ ପରିସରରେ ଗୋବିନ୍ଦର ଆତ୍ମହତ୍ୟାକୁ ନେଇ କିନ୍ତୁ କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ଉଠାଇଛନ୍ତି । ଗୋବିନ୍ଦଙ୍କ ମୃତୁ୍ୟ ହତ୍ୟା ନା ଆତ୍ମହତ୍ୟା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।

ଏନେଇ ସେ କହିଛନ୍ତି ଯେ, ମମିତା ମେହେର ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିଲେ ।ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର ଜେଲରୁ ମୁକ୍ତି ପାଇଁ କଥା ଦେଇଥିଲେ । ତେବେ ପରେ ଗୋବିନ୍ଦର ହାତ ଛାଡ଼ି ଦେଇଥିଲେ । ଦିବ୍ୟଶଙ୍କର ମିଶ୍ର ତାଙ୍କର ମୁକ୍ତି ପାଇଁ ସହଯୋଗ କରିବା ପାଇଁ କଥା ଦେଇଥିଲେ । ତେବେ କୋର୍ଟରେ ମମିତାଙ୍କ ବାପା ଓ ମା ସାକ୍ଷୀ ଦେଇଥିଲେ । ମୁକ୍ତିର ସବୁ ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ । ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଭଳି ଚର୍ଚ୍ଚା ମିଳୁଥିଲା । ତେବେ ସେ କେମିତି ଆତ୍ମହତ୍ୟା କଲେ ଆଉ ଆତ୍ମହତ୍ୟା କଲାବେଳେ କେମିତି ଜେଲର ଷ୍ଟାଫମାନେ ଜାଣିପାରିଲେନି ତାକୁ ନେଇ ସାଲୁଜା ପ୍ରଶ୍ନ ଉଠାଇଛନ୍ତି ।

ଏଥିସହ ସେ କହିଛନ୍ତି ଯେ ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଗୋବିନ୍ଦଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଘଟଣାର ସିବିଆଇ ତଦନ୍ତ ହେଲେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ ବୋଲି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ଅନ୍ୟପଟେ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା । ଆତ୍ମହତ୍ୟା ପାଇଁ ତାଙ୍କୁ ବାଧ୍ୟ କରାଗଲା । ଏହି ମାମଲାରେ ଚର୍ଚ୍ଚାକୁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ ଦେବା ପାଇଁ ଉଦ୍ୟମ କରାଯାଇଥିବା ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏପରିକି ଗୋବିନ୍ଦ ସାହୁ ମରିଲେ ନା ତାଙ୍କୁ ମରିବାକୁ ବାଧ୍ୟ କରାଗଲା ବୋଲି ପ୍ରଶ୍ନ କରି ଏହାର ତଦନ୍ତ ହେବା ଦରକାର ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Related Posts