ରାଜ୍ୟରେ ଲକ୍ଷେ ଜନସଂଖ୍ୟା ପାଇଁ ମାତ୍ର ୧୪୬ ପୁଲିସ , ଖାଲି ପଡ଼ିଛି ୧୧,୪୫୬ ପୁଲିସ ପଦବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ବ ପୁଲିସ ଉପରେ ନ୍ୟସ୍ତ। ଯଦି କେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡେ ତେବେ ପୁଲିସ ସମାଲୋଚନାର ସମ୍ମୁଖୀନ ହୋଇଥାଏ। ଗୋଟିଏ ପଟେ ବର୍ଷକୁ ବର୍ଷ ରାଜ୍ୟରେ ଅପରାଧ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅପରାଧ ନିୟନ୍ତ୍ରଣ, ଜନସାଧରଣଙ୍କ ଧନଜୀବନର ସୁରକ୍ଷା ବ୍ୟତୀତ ପୁଲିସର ଦାୟିତ୍ବ ମଧ୍ୟ ବଢ଼ିବାରେ ଲାଗିଛି।

ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଅପରାଧ ଓ ଆଇନଶୃଙ୍ଖଳା ଭଳି ଦାୟିତ୍ବ ତୁଲାଇବା ପାଇଁ ପୁଲିସ ପ୍ରଶାସନକୁ ୫-ଟି ଅଧୀନକୁ ନେଇ ଆସିଲେ। ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଲାଗି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସକମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ନିକଟରେ ଶେଷ ହୋଇଥିବା ବିଧାନସଭାର ମୌସୁମି ଅଧିବେଶନରେ ଓଡ଼ିଶା ପୁଲିସର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହରେ ଦିଆଯାଇଥିବା ସୂଚନା ମୁତାବକ, ୧୧,୪୫୬ ପୁଲସ ପଦବୀ ଖାଲି ପଡିଛି।

ସାଧାରଣ ଲୋକଙ୍କୁ ପୁଲିସ ମୌଳିକ ସେବା ଯୋଗାଇବାରେ ବିଫଳ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ମାନବ ସମ୍ବଳ ଅଭାବ ବିଭାଗର କାର୍ଯ୍ୟଦକ୍ଷତା ଉପରେ ବିଶେଷ ଭାବେ ପ୍ରଭାବ ପକାଉଥିବା ନେଇ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେପ୍‌ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖି କହିଥିଲେ ଯେ , ରାଜ୍ୟ‌ରେ ୧୧,୪୫୬ ପୁଲିସ ପଦ ଖାଲି ପଡିଛି । ଓଡ଼ିଶା ପୁଲିସର ମହାନିରୀକ୍ଷକ ପଦଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ସବୁଠି ଶହ ଶହ ପଦ ଖାଲି।

ତେବେ ଗତ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ କହିଥିଲେ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିପିଆର୍‌ଆଣ୍ଡଡି) ସୂଚନା ଅନୁସାରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ଜାତୀୟ ସ୍ତରରେ ହାରାହାରି ୧୯୫ ଜଣ ପୁଲିସ ପଦ ମଞ୍ଜୁର କରାଯାଇଛି; କିନ୍ତୁ ବାସ୍ତବରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୧୫୬ ଜଣ ପୁଲିସ ଅଛନ୍ତି। ପୁଲିସ ପଦ ପୂରଣ ଦାୟିତ୍ବ ରାଜ୍ୟ ଗୁଡ଼ିକର ବୋଲି ସେ କହିଛନ୍ତି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଥିବା ୬୧୨ଟି ଥାନାରେ ଏପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ପଦ ପୂରଣ ହୋଇପାରୁ ନାହିଁ। ରାଜ୍ୟ ପୁଲିସ ବାହିନୀର ୧୫୭ଟି ପଦରେ ମଞ୍ଜୁରୀପ୍ରାପ୍ତ ୬୭୭୬୧ ପୁଲିସ ଅଧିକାରୀଙ୍କ ଆବଶ୍ୟକତା ରହିଥିବା ବେଳେ ଗତ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟ ପୁଲିସ ବାହିନୀରେ ୫୬ ହଜାର ୩୦୫ ଜଣ ପୁଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବିପିଆରଆଣ୍ଡ୍‌ଡି ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୧୪୬ ପୁଲିସ ପଦ ମଞ୍ଜୁରୀ କରାଯାଇଛି। ଯାହା ଜାତୀୟ ମଞ୍ଜୁରୀ ପ୍ରାପ୍ତ ପୁଲସ ପଦ ୧୯୫ ଠାରୁ ପ୍ରାୟ ୫୦ କମ୍‌। କିନ୍ତୁ ନିୟୋଜିତ ଅଛନ୍ତି ୧୨୯। ଜାତୀୟ ସ୍ତରରେ ପ୍ରତି ଏକ ଲକ୍ଷରେ ନିୟୋଜିତ ହୋଇଥିବା ୧୫୬ ଜଣଙ୍କଠାରୁ ମଧ୍ୟ ୨୭ କମ। ଦେଶର ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାର୍ଯ୍ୟରତ ପୁଲିସ ବାହିନୀ ତାଲିକା‌େ‌ର ଓଡ଼ିଶାର ପୁଲିସ ବାହିନୀ ୩୦ ତମ ସ୍ଥାନରେ ରହିଛି। ଓଡ଼ିଶା ତୁଳନାରେ ପ୍ରତି ଏକ ଲକ୍ଷ ପୁଲିସ ବାହିନୀରେ ବିହାର, ଡାମନ ଡିଉ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ କମ୍ ପୁଲିସ କର୍ମଚାରୀ ଅଛନ୍ତି।

Related Posts