(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ବିନା ସ୍ବୀକୃତିରେ ଚାଲିଛି ୫୦୦ରୁ ଅଧିକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୧୯୭୦ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଥିବାବେଳେ ସେଥି ମଧ୍ୟରୁ ୧୪୧୭ଟି ବିଦ୍ୟାଳୟ ସ୍ୱୀକୃତି ପାଇଛି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୨୦ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥିବାବେଳେ ଏଥିରୁ ୧୫୩ଟି ସ୍ୱୀକୃତିପ୍ରାପ୍ତ ବାକି ବିନା ସ୍ବୀକୃତିରେ ଚାଲିଛି । ସେହିଭଳି କଟକରେ ଥିବା ୧୪୮ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟରୁ ୯୯ଟି ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ସୁନ୍ଦରଗଡରେ ୧୪୧ରୁ ୯୫, ଗଞ୍ଜାମରେ ୧୪୦ ରୁ ୧୧୯, ମୟୁରଭଞ୍ଜରେ ୯୪ରୁ ୬୫, ସମ୍ବଲପୁରରେ ୯୨ରୁ ୬୧, ଯାଜପୁରରେ ୮୯ରୁ ୬୩, କଳାହାଣ୍ଡିରେ ୮୮ରୁ ୫୮, ଜଗତ୍ସିଂହପୁରରେ ୫୭ରୁ ୨୩, କେନଦୁଝରରେ ୮୧ରୁ ୪୧, ପୁରୀରେ ୭୭ରୁ ୫୨ଟି ବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ଅଟନ୍ତି ।