ରାଜ୍ୟରେ ଖାଲି ପଡ଼ିଛି ଶହ ଶହ ପଶୁ ଚିକିତ୍ସକ ପଦବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: : ରାଜ୍ୟରେ ପଶୁମାନଙ୍କ ଚିକିତ୍ସାପାଇଁ ନାହାନ୍ତି ପଶୁ ଚିକିତ୍ସକ। ପ୍ରତ୍ୟେକ ଜିଲ୍ଲାରେ ଏକାଧିକ ପଶୁଡାକ୍ତର ପଦବୀ ଖାଲି ପଡିଛି। ସ୍ଥିତି ଏମିତି ଯେ ରାଜଧାନୀ ଭୁବନେଶ୍ୱର ଏବଂ ପୁରୀ ଭଳି ସହରରେ ଜିଲ୍ଲାରୁ କେତେକ ଡାକ୍ତରଙ୍କୁ ନେଇ କାମରେ ଲଗାଯାଇଛି ।

ସୂଚନା ମୁତାବକ ରାଜ୍ୟରେ ମୋଟ୍‍ ୯୨୫ଟି ମଞ୍ଜୁରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ଥିବାବେଳେ ଚଳିତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୫୯୦ଜଣ ଡାକ୍ତର ଥିବା ବେଳେ ୩୩୫ଟି ପଦବୀ ଖାଲି ପଡିଥିଲା । ସେହିପରି ଗାଁ ଗହଳରେ ପଶୁ ଚିକିତ୍ସା କରୁଥିବା ପ୍ରାଣୀଧନ ନିରୀକ୍ଷକ ପଦବୀରେ ମଧ୍ୟ ୧୪୧୨ଟି ପଦବୀ ଖାଲି ପଡିଛି । ଏହି ପଦବୀରେ ମୋଟ୍‍ ୩୩୩୦ ମଞ୍ଜୁରୀପ୍ରାପ୍ତ କର୍ମଚାରୀ ରହିବାକଥା ।

ଏଥି ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୦ଟି ମଞ୍ଜୁରୀପ୍ରାପ୍ତ ପଶୁ ଚିକିତ୍ସକ ଓ ଅତିରିକ୍ତ ପଶୁ ଚିକିତ୍ସକ ପଦବୀ ଥିବାବେଳେ ସେଥିରୁ ୨୧ଟି ପଦବୀ ଖାଲି ପଡିଥିବା ଜଣାପଡିଛି । ଦୁଇଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କୁ ନିର୍ଦ୍ଦେଶାଳୟରେ ଓ ଅନ୍ୟ ଜଣଙ୍କୁ ପୁରୀରେ ଦାୟିତ୍ୱରେ ରଖାଯାଇଛି ।

ସେହିପରି ରାଜ୍ୟର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ହେଉଥିବା ଉପକୂଳ ଜିଲ୍ଲା ଗୁଡ଼ିକରେ ବି ବହୁ ସଂଖ୍ୟକ ପଶୁଚିକିତ୍ସକ ଓ ଅତିରିକ୍ତ ପଶୁ ଚିକିତ୍ସକ ପଦବୀ ଖାଲି ପଡିଥିବା ଜଣା ପଡ଼ିଛି । ସେହିପରି ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ କଟକର ୪୪ ପଦବୀ ମଧ୍ୟରୁ ୨୫ଟି ଖାଲି ପଡିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ୨୩ରୁ ୯ଟି, ପୁରୀରେ ୨୮ରୁ ୧୩ଟି, କେନ୍ଦ୍ରାପଡାରେ ୨୫ରୁ ୧୫ଟି, ଖୋରଧାରେ ୩୩ରୁ ୧୬ଟି ଖାଲି ପଡିଛି ।

ତେବେ ପଶୁ ଚିକିତ୍ସକ ଅଭାବ ଥିବା କାରଣରୁ ଉପକୂଳ ଜିଲ୍ଲାର ଅନେକ ଚିକିତ୍ସକ ମୁଖ୍ୟାଳୟ ବାହାରେ ରହୁଥିବାରୁ ଗୁରୁତର ପଶୁମାନଙ୍କୁ ଚିକିତ୍ସା କରିବାପାଇଁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପଟେ ଗାଁ ଗହଳରେ ପ୍ରାଣୀଧନ ନିରୀକ୍ଷକମାନେ ହିଁ ପଶୁ ଚିକିତ୍ସା କରୁଛନ୍ତି । ବହୁ କ୍ଷେତ୍ରରେ ପଶୁ ଚିକିତ୍ସକ କିମ୍ବା ଅତିରିକ୍ତ ପଶୁ ଚିକିତ୍ସକମାନେ ଗ୍ରାଉଣ୍ଡକୁ ନଯାଇ ପଶୁଧନ ନିରୀକ୍ଷକମାନଙ୍କୁ ପଠାଇ ଦେଉଥିବାର ଅଭିଯୋଗ ହୋଇଛି । ଅତି ଜରୁରୀ ହେଲେ କିମ୍ବା ଚାପ ପଡିଲେ ଯାଇ ପଶୁ ଚିକିତ୍ସକମାନେ ଗାଁ ଗହଳକୁ ଯାଉଥିବା ଦେଖିବାକୁ ମିଳୁଛି।

ତେଣେ ପାଖାପାଖି ଦେଢ ହଜାର ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିଥିବା ବେଳେ ଜଣେ ଜଣେ ନିରୀକ୍ଷକଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ଆଉ କେତେକଙ୍କୁ ଏକାଧିକ ଦାୟିତ୍ୱ ସହିତ ଜିଲ୍ଲା ସ୍ତରର ଅଫିସରେ କାଗଜପତ୍ର କାର୍ଯ୍ୟରେ ଲଗାଯାଉଛି । ତେଣୁ ଅନେକ ଗୁଡ଼ିଏ ପଞ୍ଚାୟତରେ ଆବଶ୍ୟକ ସମୟରେ ପ୍ରାଣୀଧନ ନିରୀକ୍ଷକମାନଙ୍କର ଦର୍ଶନ ମିଳୁନାହିଁ ।

ରାଜ୍ୟ ସରକାର ରାଜ୍ୟରେ ଦୁଗ୍ଧ ଉତ୍ପାଦନ ସହିତ ପଶୁପାଳନ ଓ କୁକୁଡାଚାଷ ଜରିଆରେ ଆତ୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ପଶୁ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିଥିବା ଏବେ ବଡ ସମସ୍ୟା ପାଲଟିଛି । ଗାଁ ଗହଳରେ ଏବେ ପଶୁ ଚିକିତ୍ସା ଅନେକ ଅନଭିଜ୍ଞ ଲୋକଙ୍କ ହାତରେ ହେଉଥିବା ଦେଖିବାକୁ ମିଳିଛି । ଏମାନେ ନିଜକୁ ପଶୁଡାକ୍ତରର ପରିଚୟ ଦେଇ ବିଭିନ୍ନ କମ୍ପାନୀର ଔଷଧ ବିକ୍ରିରେ ମାତିଛନ୍ତି । ତେଣୁ ସରକାର ମଞ୍ଜୁର କରିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ମତପ୍ରକାଶ ପାଉଛି ।

Related Posts