ପ୍ୟାରିସ୍‌ରେ ଉଦ୍‌ଘାଟିତ ହେଲା ବିଶ୍ୱର ସର୍ବବୃହତ କ୍ରୀଡ଼ା ମହାକୁମ୍ଭ

ଭୁବନେଶ୍ୱର,୨୭/୭(ସତ୍ୟପାଠ ବ୍ୟୁରୋ):  ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ କାଲି ଉଦ୍‌ଘାଟିତ ହୋଇଛି ବିଶ୍ୱର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ପ୍ରତିଯୋଗିତା। ପ୍ୟାରିସ୍‌ର ବିଶ୍ୱବିଖ୍ୟାତ ଏଫିଲ ଟାୱାର ନିକଟରେ ଥିବା ସିନ ନଦୀ ଉପରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ସଭାପତି ଥୋମାସ ବ୍ୟାକ୍‌, ବିଶ୍ୱ ନେତୃବୃନ୍ଦ ଓ ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କ ସମ୍ମୁଖରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ ପ୍ରଥମଥର ପାଇଁ ଷ୍ଟାଡିୟମ୍‌ରେ ଆୟୋଜିତ ନ ହୋଇ ନଦୀ ଉପରେ ଆୟୋଜିତ ହୋଇଥିବାରୁ ଏହା ଖୁବ୍‌ ରୋମାଞ୍ଚକ ହୋଇଥିଲା। ଆଷ୍ଟର୍ଲଜ୍‌ ପୋଲ ପାଖରୁ ଆରମ୍ଭ ହୋଇଥିବା ପରେଡ୍‌ ୬ କିଲୋମିଟର ଯାତ୍ରା କରିବା ପରେ ଉଦ୍‌ଘାଟନୀ ଉତ୍ସବ ସ୍ଥଳରେ ପହଞ୍ଚିଥିଲା। ଏହାକୁ ନଦୀର ଦୁଇ କୂଳରେ ସର୍ବାଧିକ ୬ ଲକ୍ଷ ଦର୍ଶକ ଉପସ୍ଥିତ ବୋଲି ରିପୋର୍ଟରେ କୁହାଯାଇଛି। ଏଭଳି ଏକ କ୍ରୀଡ଼ା ମହାକୁମ୍ଭରେ ୮୫ଟି ଡଙ୍ଗା/ନୌଭେଳାରେ ୬, ୮୦୦ ପ୍ରତିଯୋଗୀ ନୌକାରେ ପରେଡରେ ଅଂଶଗ୍ରହଣ କରିଥିଲେ। ଭାରତରୁ ୭୮ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ୟାରିସ୍‌ ବାହାରେ ଫୁଟବଲ, ସର୍ଫିଂ ପରି କିଛି ଖେଳ ଆୟୋଜିତ ହେଉଥିବାରୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ପ୍ରତିଯୋଗିତା ଲାଗି ଆସି ନ ଥିବାରୁ ଏହି ସଂଖ୍ୟା କମିଯାଇଛି।

ଫ୍ରାନ୍ସର କିମ୍ବଦନ୍ତୀ ଫୁଟବଲ ଖେଳାଳି ଜିନେଡାଇନ୍‌ ଜିଡାନ ଶେଷ ବ୍ୟକ୍ତିଭାବେ ମଶାଲ ଆଣିବା ପରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ପ୍ରଥମେ ସିନ୍‌ ନଦୀରେ ପରେଡ ଆରମ୍ଭ ହୋଇଥିଲା। ଗ୍ରୀସ୍‌ ପ୍ରଥମ ଦେଶ ଓ ଆଇଓସି ଦ୍ୱିତୀୟ ସଂଘ ଭାବେ ପରେଡରେ ଆସିଥିଲେ। ଭାରତ ଓ ଇଣ୍ଡୋନେସିଆର ପ୍ରତିଯୋଗୀ ଗୋଟିଏ ନୌଭେଳାରେ ଆସିଥିବା ବେଳେ ଦୁଇଥରର ପଦକ ବିଜେତା ପିଭି ସିନ୍ଧୁ ଓ ଟେବୁଲ ଟେନିସ ଖେଳାଳି ଶରତ କମଲ ଧ୍ୱଜା ଧରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ୩, ୦୦୦ରୁ ଅଧିକ କଳାକାର ଅଂଶଗ୍ରହଣ ଏ କରିଥିଲେ। ଆମେରିକାର କିମ୍ବଦନ୍ତୀ ଗାୟକ ଲେଡି ଗାଗାଙ୍କ ‘ମାଇଁ ଥିଙ୍ଗ୍‌ ମେଡ୍‌ ଅଫ୍‌ ଫିଦର୍ସ’ ସଙ୍ଗୀତରୁ ଉଦ୍‌ଘାଟନୀ ଉତ୍ସବର ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସାଢ଼େ ୩ ଘଣ୍ଟା ଧରି ଏହି ଆୟୋଜିତ ଏହି ଉତ୍ସବରେ ଫ୍ରାନ୍ସର ଗୌରବମୟ କଳା ସଂସ୍କୃତି, ସାଂସ୍କୃତିକ ବିବିଧତା, ଫରାସୀ ବିପ୍ଳବରେ ଭାଗ ନେଇଥିବା ମହିଳା, ଫ୍ରାନ୍ସର ଉନ୍ନତ କାରିଗରୀ ବିଦ୍ୟା, ସ୍ଥାପତ୍ୟ ଉପରେ କଳାକାରମାନେ ପ୍ରଦର୍ଶନ କରିଥିଲେ। ଆୟା ନାକାମୋରା, ଡିଜେ ବାର୍ବରା ବଚ୍‌ ପ୍ରଭୃତି ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ପ୍ୟାରିସ୍‌କୁ ଝଲସାଇବା ସହ ଉପସ୍ଥିତ ଦର୍ଶକଙ୍କୁ ଆନନ୍ଦିତ କରିଥିଲା। କଡ଼ା ସୁରକ୍ଷା, ବର୍ଷାର ପ୍ରତିବନ୍ଧକକୁ ପଛରେ ପକାଇ ଆୟୋଜକମାନେ ଏହି ଉତ୍ସବକୁ ସଫଳ କରାଇବାରେ ସମର୍ଥ ହୋଇଛନ୍ତି।

ଜୁଲାଇ ୨୭ରୁ ଅଗଷ୍ଟ ୧୧ ତାରିଖ ଯାଏ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୩୨ଟି ଖେଳରେ ମୋଟ ୩୨୯ଟି ମେଡାଲ ଇଭେଣ୍ଟ ଲାଗି ପ୍ରତିଦ୍ୱନ୍ଦ୍ୱିତା ହେବ। ଏହି କ୍ରୀଡ଼ା ମହାକୁମ୍ଭରେ ୨୦୫ଟି ଅଲିମ୍ପିକ୍‌ ସଂଘ ଓ ରିଫ୍ୟୁଜି ଟିମ୍‌ର ଗୋଟିଏ ଦଳ ସହ ୨୦୬ଟି ସଂଘରୁ ୧୦, ୨୭୪ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ପ୍ରଥମଥର ଲାଗି ପୁରୁଷ ଓ ମହିଳା ପ୍ରତିଯୋଗୀ ସମାନ ଭାବେ ଭାଗ ନେଇଥିଲେ। ଭାରତରୁ ୧୯ଟି ଇଭେଣ୍ଟରେ ୧୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ୨୦୨୧ ଟୋକିଓରେ ଭାରତ ୭ଟି ପଦକ ଜିତିଥିଲାବେଳେ ଏଥର ଏହାକୁ ଅତିକ୍ରମ କରିବ ବୋଲି ଆଶା ରଖିଛି। ହକି ତାରକା ଅମିତ ରୋହିଦାସ ଓ ଜାଭେଲିନ୍‌ ଫିଙ୍ଗାଳି କିଶୋର କୁମାର ଜେନା ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି।

Related Posts