ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ଏକ ସଂସ୍ଥା ଉପରେ ବ୍ୟାନ୍ ଲଗାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଶାଖା କୁହାଯାଉଥିବା ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ୍)କୁ ବ୍ୟାନ୍ କରାଯାଇଛି । ଜାମ୍ମୁ କାଶ୍ମୀର ସମେତ ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ଥିବାରୁ ଏହି ସଂସ୍ଥାକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି ।
ତେବେ ଶାଖାର ମୁଖ୍ୟ କୁହାଯାଉଥିବା ଅରବାଜ ଅହମଦ ମିରକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆତଙ୍କବାଦ ନିରୋଧି ଆଇନ ବଳରେ ଅରବାଜ ଅହମଦକୁ ଟେରରିଷ୍ଟ ଘୋଷଣା କରାଯାଇଛି । ଏକ ବୟାନରେ ଗୃହ ମନ୍ତ୍ରାଳୟ କହିଛି ଯେ, ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ୍) ଲଗାତାର ଭାବେ ଭାରତୀୟ ସେନାକୁ ଟାର୍ଗେଟ୍ କରୁଥିଲା । ସେନା ବିରୁଦ୍ଧରେ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଉଥିଲା । ଏପରିକି ରାଜନୈତିକ ବ୍ୟକ୍ତିତ୍ବ ତଥା ଜାମ୍ମୁ କାଶ୍ମୀରରେ କାମ କରୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ଧମକ ଦେଉଥିଲା ଜୈଶର ଶାଖା ସଂଗଠନ ।
ବ୍ୟାନ୍ ହୋଇଥିବା ସଂଗଠନ ପିଏଏଫଏଫ୍ ଅନେକ ଗୁଡିଏ ଅପରାଧିକ ମାମଲାରେ ଲିପ୍ତ ଥିଲା । କେବଳ ଏହି ସଂଗଠନ ନୁହେଁ ଆଉ କିଛି ସଂଗଠନ ମଧ୍ୟ ଜାମ୍ମୁ କାଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ଲୋକଙ୍କୁ ଉସକାଉଥିଲେ । ସାମାଜିକ ଗଣମାଧ୍ୟମ ତଥା ବ୍ୟକ୍ତିଗତ ଭାବେ ମଧ୍ୟ ଲୋକଙ୍କୁ ଧମକାଉଥିଲେ ଏହି ସଂଗଠନ ସଦସ୍ୟ । ପିଏଏଫଏଫ୍ ମୁଖ୍ୟତଃ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ସଂଗଠନରେ ସାମିଲ କରିବା ପାଇଁ ପ୍ରୟାସ କରୁଥିଲା । କିଛି ଯୁବକ ଲୋଭନୀୟ ଅଫର ପାଇ ସଂଗଠନରେ ସାମିଲ ହେବା ସହିତ ବନ୍ଧୁକ ଚାଳନା, ବିସ୍ଫୋରଣ ଘଟାଇବା ପାଇଁ ଟ୍ରେନିଂ ମଧ୍ୟ ନେଇଥିଲେ । ସୀମାରେ ବିଭିନ୍ନ ଅଞ୍ଚଳରେ ଏମାନେ ଅପରାଧ ଘଟାଇଥିବା ନଜିର ରହିଛି ।