ମାଡି ଆସୁଛି ଜୁଆର : ଭୁଶୁଡି ପଡିବ କି ଶିଆଳି ଭିୟୁ ଟାୱାର ?

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବିପଦ ଘେରରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ସିଆଳି ବେଳାଭୂମି ନିକଟସ୍ଥ ସ୍ଥାନୀୟ ବାସିନ୍ଦା ।  ୨୦୦୯ ମସିହାରେ ନିର୍ମାଣ ହୋଇଥିବା ଭ୍ୟୁ ଟାୱାର ମଧ୍ୟ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ୨୦୧୬ରେ ସିଆଳି ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲା । କିନ୍ତୁ ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆରିଆ ଥିବାରୁ ଭିୟୁ ଟାୱାର ଚାରି ପାଖରୁ ବାଲି ଓ ମାଟି ଅତଡ଼ା ଖସିବା ଆରମ୍ଭ କରିଛି। ଗତକାଲି ଲଗାତାର ଜୁଆର ମାଡ଼ ଯୋଗୁଁ ଟାୱାରର ତଳ ଅଂଶ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। 

ସମୁଦ୍ର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିବାରୁ  ସମୁଦ୍ର ଉପକୂଳବର୍ତ୍ତୀ ସିଆଳି, ପଦ୍ମପୁର ଓ କଳାବେଦୀ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଭ୍ୟୁ ଟାୱାରରୁ ସମୁଦ୍ରର ବେଳାଭୂମିକୁ ଉପଭୋଗ କରାଯାଇଥାଏ। ଏହା ସାଙ୍ଗକୁ ଶିଆଳିରେ ରହିଛି ବଣଭୋଜିର ସୁବିଧା । ସେହିପରି ସମୁଦ୍ର ବେଳାଭୂମିର ସୁନେଲି ବାଲୁକା ରାଶି ଉପରେ ନାଲି କଙ୍କଡ଼ା ବି ବେଶ ଆକର୍ଷିତ କରେ। 

୨୦୧୬ରେ ଶିଆଳି ବେଳାଭୂମି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଏହି ଅଞ୍ଚଳ ଏବେ ବିପଦ ଘେରରେ। ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ପ୍ରତିବର୍ଷ ସୁମଦ୍ର ଜୁଆର ମାଡ଼ରେ ଭିୟୁ ଟାୱାର ପ୍ରତି ବିପଦ ଥିବା ନେଇ ପ୍ରଶାସନକୁ ଅବଗତ କରାଯାଉଛି। କିନ୍ତୁ ସମସ୍ୟାକୁ ଅଣଦେଖା କରାଯାଉଥିବାରୁ ବର୍ତମାନ ଏହା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। 

ଏପରିକି ସମୁଦ୍ର ଜୁଆରିଆ ଥିବାରୁ ଓ ଉଚ୍ଚା ଲହଡ଼ି ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଦେଖାଦେଇଛି। କାରଣ ସମୁଦ୍ର ଜୁଆରରେ ଯଦି ଭିୟୁ ଟାୱାରକୁ କ୍ଷତି ପହଞ୍ଚିବ ତେବେ ନିକଟସ୍ଥ ଜନବସତି ଆଡ଼କୁ ସମୁଦ୍ର ଜୁଆର ମାଡ଼ିଯିବା ଆଶଙ୍କା ରହିଛି। ଭିୟୁ ଟାୱାରକୁ ରକ୍ଷା କରିବା ପାଇଁ ଦୁର୍ବଳ ପଥର ବନ୍ଧ ନିର୍ମାଣ କରାଯାଇଥିଲା। ଏହି ଦୁର୍ବଳ ବନ୍ଧଟି ସମୁଦ୍ରରେ ଭାସିଯିବା ଆଶଙ୍କା ଥିବାରୁ ଏବେ ଭିୟୁ ଟାୱାରକୁ ବିପଦ ମାଡ଼ି ଆସିଛି। 

Related Posts