ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ସିବିଆଇ ସମନ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦାୟିତ୍ବରେ ଥିବା ତିନି ବିଭାଗ ଦାୟିତ୍ବରୁ ତାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ସେ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ ହୋଇଛନ୍ତି। ସାଧାରଣତଃ ଏହି ପଦବି ଏକ ଦଣ୍ଡନୀୟ ପଦବି ଭାବେ ବିବେଚନା କରାଯାଏ।
ସୁଚନାଯୋଗ୍ୟ ଯେ ଶ୍ରୀ ସେଠୀଙ୍କୁ ସିବିଆଇ ସମନ୍ କରିଥିବାରୁ ଯେ କୌଣସି ମୂହୁର୍ତ୍ତରେ ସେ ସିବିଆଇ ଜେରାର ସମ୍ମୁଖୀନ ହୋଇପାରନ୍ତି। ତାହା ପୂର୍ବରୁ ସରକାର ତାଙ୍କୁ ପ୍ରାଶାସନିକ ଦାୟିତ୍ବରୁ ହଟାଇ ଦେଇଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ୧୯୯୭ ବ୍ୟାଚର ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅନ୍ତଃରାଜ୍ୟ କ୍ୟାଡର୍ ଡେପୁଟେସନ୍ରେ ଓଡ଼ିଶା ଆସିଥିବା ୨୦୦୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ସେ ତିନି ବର୍ଷ ପାଇଁ ଓଡ଼ିଶାକୁ ଡେପୁଟେସନ୍ରେ ଆସିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି ହୋଇଛି।
ସେପଟେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ତନାଘନା ଜାରି ରହିଛି। ଏହି ମାମଲାରେ ସିବିଆଇ ଉକ୍ତ ଉଦ୍ୟୋଗର ଜିଏମ୍ଙ୍କ ସମେତ ଆକାଉଣ୍ଟସ୍ ଅଧିକାରୀ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ଘନଘନ ଜେରା କରିଛି। ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ୬ଘଣ୍ଟା ମାରାଥନ ଜେରା କରାଯାଇଛି ଏବଂ ଆକାଉଣ୍ଟସ୍ ଅଫିସର୍ଙ୍କୁ ୭ ଦିନ ହେଲା ପର୍ଯ୍ୟାୟକ୍ରମେ ପଚରାଉଚରା ଚାଲିଛି। ବିଶେଷକରି ଅଭିଯୁକ୍ତ ଠିକାଦାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ କେଉଁ କାମ ପାଇଁ କେତେ ବିଲ୍ ପାସ୍ କରାଯାଇଛି, ସେନେଇ ସିବିଆଇ ଜେରା କରୁଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି। ରାଜ୍ୟ ସରକାର ତାଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିପାରେ।
ସିବିଆଇର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିସେମ୍ବର ୫ ତାରିଖରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀ ଭେଟିଥିଲେ। ଡିସେମ୍ବର ୬ ତାରିଖରେ ପେଣ୍ଟା ଏ ଷ୍ଟୁଡିଓ ନିର୍ଦେଶକ ସନ୍ତୋଷ ମହାରଣା ଓ ତାଙ୍କ ବାପା ମନମୋହନ ମହାରଣାଙ୍କୁ ତୁରନ୍ତ ଭେଟିବାକୁ କହିଥିଲେ ଚଞ୍ଚଲ୍। ଲାଞ୍ଚ ଆକାରରେ ଦିଆଯିବାକୁ ଥିବା ୧୦ ଲକ୍ଷ ଟଙ୍କାକୁ ପରବର୍ତ୍ତୀ ବିଲ୍ କିମ୍ବା କାର୍ଯ୍ୟାଦେଶରେ ଆଡ୍ଜଷ୍ଟ କରାଯିବ ବୋଲି ଚଞ୍ଚଲ୍ କହିଥିଲେ। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ନାଲ୍କୋ ଦାମନଯୋଡ଼ି ବିଶାଖପାଟଣାରେ ସିଭିଲ୍ କାମ କରିବାକୁ ଟେଣ୍ଡର ନେଇଛି ଏବଂ ଏହି କାମ ପାଇଁ ପେଣ୍ଟା ଏ ଷ୍ଟୁଡିଓକୁ ଦାୟିତ୍ବ ଦେଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ ଜିଏମ୍ ଭୂପେନ୍ଦ୍ରଙ୍କୁ ସିବିଆଇ ପଚରାଉଚରା କରିଛି। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।