‘ମୋ ବସ୍‌’ରେ ମାତିଛନ୍ତି ଚୋର; ଗତକାଲି ୧୫ ହଜାର ଟଙ୍କା ଲୁଟ୍ ପରେ ଆଜି ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଖବର ଆସିଥିଲା। ଏହି ଘଟଣାକୁ ୨୪ ଘଣ୍ଟା ପୁରିନଥିବା ବେଳେ ଆଜି ପୁଣି ‘ମୋ ବସ୍‌’ରୁ ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି। ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ତଦନ୍ତ କରୁଛି।

ସୂଚନା ଅନୁସାରେ, ଆଜି ରୁଟ୍ ନମ୍ବର ୧୬ରେ ଯାଉଥିବା ଏକ ମୋ ବସ୍‌ରେ ଆଜି ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି।ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଏହି ବସ୍‌ରେ ଚଢ଼ିଥିଲେ। ସେ ପଳାଶୁଣି ଯାଉଥିଲେ। ତେବେ ବାଟରେ ତାଙ୍କ ବ୍ୟାଗ୍‌ର ଚେନ୍ ଖୋଲି କେହି ମୋବାଇଲ୍ ନେଇ ଯାଇଥିଲେ। ସେହିପରି ଅନ୍ୟ ଜଣେ ଛାତ୍ରୀ ବାଣୀବିହାର ଛକରୁ ଏହି ବସ୍‌ରେ ଚଢ଼ିଥିଲେ। ସେ ବି ପଳାଶୁଣି ଯାଉଥିଲେ। ତେବେ ତାଙ୍କର ମଧ୍ୟ ମୋବାଇଲ୍ ଚୋରି ହୋଇଯାଇଥିଲା। ସେହିଭଳି ଗତକାଲି ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍‌ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ସେ ବସ୍‌ର ଗାଇଡ୍‌ଙ୍କୁ ଏ ବିଷୟରେ କହିବା ପରେ ରସୁଲଗଡ଼ ଛକରେ ବସ୍‌ଟି ଅଟକିଥିଲା। ଗାଇଡ୍ ପୁଲିସ୍‌କୁ ସୂଚନା ଦେବା ସହିତ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲେ। ତେବେ ପିସିଆର୍‌ ଭ୍ୟାନ୍ ଯାତ୍ରୀଙ୍କୁ ଯାଞ୍ଚ କରିବା ବଦଳରେ ବସ୍‌ଟିକୁ ଗସ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦେଇଥିଲା।

ଯାତ୍ରୀ ମାନଙ୍କ ସୁରକ୍ଷାରେ ଅବହେଳା ହେତୁ ବାରମ୍ବାର ‘ମୋ ବସ୍‌’ରୁ ଚୋରି ହେବା ଘଟଣା ସାମ୍ନାକୁ ଆସୁଛି। ତେବେ ବାରମ୍ବାର ଏହିଭଳି ଚୋରି ଘଟଣା ଗୁଡ଼ିକ ସାମ୍ନାକୁ ଆସିବା ପରେ ମଧ୍ୟ ପୋଲିସର ହାତ ଖାଲି ରହିଛି।

Related Posts