ବାଲି ମାଫିଆଙ୍କ ଆତଙ୍କ, ଯାଜପୁର ତହସିଲଦାରଙ୍କୁ ଟ୍ରାକ୍ଟର ମଡ଼େଇ ହତ୍ୟା ଉଦ୍ୟମ

ଯାଜପୁର: ଯାଜପୁର ଜିଲ୍ଲାରେ ବାଲି ମାଫିଆଙ୍କ ଚାଲିଛି ଆତଙ୍କରାଜ | ଖୁଲମଖୁଲା ଆତଙ୍କ ଖେଳାଉଛନ୍ତି ବାଲି ମାଫିଆ | ପ୍ରତିବାଦ କଲେ ହତ୍ୟା ଉଦ୍ୟମ ତ ଆଉ କେତେବେଳେ ହତ୍ୟା ଉଦ୍ୟମ | ତେବେ କିଛିଦିନ ତଳେ ବିଂଝା‌ରପୁର ମନେଇ ବାଲିଘାଟରେ ବୋମାମାଡ଼ ସହିତ ଲିଜ୍‌ଧାରୀଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ଦିନ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଟ୍ରାକ୍ଟର ଚପାଇବାକୁ ଉଦ୍ୟମ କରିଛନ୍ତି ମାଫିଆଗୋଷ୍ଠୀ।

ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଲି ମାଫିଆଙ୍କ ବିରୋଧରେ ସେ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି। ଟ୍ରାକ୍ଟରଟିକୁ ଜବତ କରାଯାଇଥିଲେ ହେଁ ଏହି ଘଟଣାଟିକୁ ଚପାଇଦେବାକୁ ରାଜନୈତିକ ମହଲରେ ଚାପ ପଡୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ବୈତରଣୀ ନଦୀ କଷପା ପଞ୍ଚାୟତ ପଲାସାହିଠାରେ ଏକ ଚୋରାଘାଟରୁ ମାଫିଆମାନେ ବାଲି ଉଠାଉଥିଲେ। ଖବର ପାଇ ତହସିଲଦାର ଅବିନାଶ ସେଠୀ ସେଠାରେ ପହଞ୍ଚିବାରୁ କେତୋଟି ଟ୍ରାକ୍ଟର ଖସିଯାଇଥିଲେ। ଗୋଟିଏ ଟ୍ରାକ୍ଟର ଧରାପଡ଼ି ଯାଇଥିଲା। ସେହି ଗାଡ଼ିଟି ମଲ୍ଲିକାପୁର ଗ୍ରାମର ରାଜେଶ ସେଠୀଙ୍କର। ଗାଡ଼ିଟିକୁ ନଦୀ ଉପରକୁ ଉଠାଇବାକୁ ତହସିଲଦାର ନିର୍ଦେଶ ଦେଇଥିଲେ। ଚାଳକ ନଦୀ ଉପରକୁ ଗାଡ଼ି ନେଇ ହଠାତ୍‌ ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା। ଛାନିଆଁ ହୋଇ ଦୁହେଁ ଗୋଟିଏ ପାର୍ଶ୍ବରେ ତଳେ ପଡ଼ିଯିବାରୁ ବର୍ତ୍ତିଯାଇଥିଲେ। ଏହି ସୁଯୋଗରେ ଟ୍ରାକ୍ଟର ନେଇ ଚାଳକ ସେଠାରୁ ପଳାଇ ଯାଇଥିଲା। ଟ୍ରାକ୍ଟର ଫଟୋ ପୂର୍ବରୁ ତହସିଲଦାର ଉଠାଇ ରଖିଥିବାରୁ ଥାନାକୁ ଜଣାଇଥିଲେ। ତଥାପି ମାଫିଆମାନେ ତୁରନ୍ତ ଟ୍ରାକ୍ଟରଟିକୁ ଅଲଗା ରଙ୍ଗ ମାରି ଲୁଚାଇବାକୁ ଉଦ୍ୟମ କରିଥିଲେ। ମଂଗଳପୁର ପୁଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ସେଠା‌ରୁ ଖସିଯାଇଥିଲେ। ଗାଡ଼ିର ନମ୍ବର ପ୍ଲେଟରେ ରଙ୍ଗ ମାରି ଦେଇଥିବାରୁ ନମ୍ବର ଜଣାପଡ଼ିନାହିଁ। ତେବେ ଏହାର କୌଣସି କାଗଜପତ୍ର ନଥିବା ସୂଚନା ମିଳିଛି।

ତେବେ ବାଲି ମାଫିଆଙ୍କ ଉତ୍ପାତ ଆଜିକୁ ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ବହୁ ଚୋରା ବାଲିଘାଟ ଚାଲୁଥିଲା। ତତ୍‌କାଳୀନ ତହସିଲଦାର ଶ୍ବେତ ଦାସ ୪ ବର୍ଷ ତଳେ ରାମବାଗଠାରେ ଏକ ଡମ୍ପରକୁ ଜବତ କରିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ ହୋଇଥିଲା। ଡମ୍ପର ନେଇ ମାଫିଆ ଖସିଯାଇଥିଲେ। ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା। ଯାଜପୁରର ପଡ଼ୋଶୀ ଜିଲ୍ଲା କେନ୍ଦୁଝରର ଆନନ୍ଦପୁରରେ ମଧ୍ୟ ବାଲିମାଫିଆଙ୍କ ଦାଦାଗିରିର ଦୃଷ୍ଟାନ୍ତ ରହିଛି। ଆନନ୍ଦପୁର ତହସିଲ ଫାପୁଡ଼ିଆ ଘାଟରେ ଗତ ‌ଡିସେମ୍ବରରେ ବାଲି ମାଫିଆଙ୍କ ଆକ୍ରମଣରେ ଦୁଇଜଣ ଆର୍‌ଆଇ ଆହତ ହୋଇଥିଲେ | ତେବେ ସରକାରୀ ଅଧିକାରୀଙ୍କ ଉପରେ ଏପରି ବାଲି ମାଫିଆଙ୍କ ଆକ୍ରମଣ ବଢୁଥିବା ବେଳେ, ପୋଲିସ ର ନିରବଦ୍ରଷ୍ଟା ତାଙ୍କୁ ଆହୁରି ଅପରାଧ କରିବା ପାଇଁ ପ୍ରେରଣା ଯୋଗାଉଥିବା ସାଧାରଣରେ ଚର୍ଚା ହେଉଛି |

Related Posts