ଆଫଗାନିସ୍ତାନ ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ଯୁଦ୍ଧ ବିରାମ ଘୋଷଣା କଲା ତାଲିବାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନକୁ ପୁଣି ଫେରିଲା ତାଲିବାନ ଶାସନ । ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏବେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଛନ୍ତି ତାଲିବାନି। ରାଷ୍ଟ୍ରପତି ଅସରଫ ଘନି ବି ଆଫଗାନିସ୍ତାନ ଛାଡି ଦେଶ ବାହାରକୁ ଚାଲିଯାଇଛନ୍ତି । ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଆମେରିକା ସେନାର ଉପସ୍ଥିତି ଏବଂ ଏକ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରି ତାଲିବାନ ବିଦ୍ରୋହୀମାନଙ୍କ ସହ ଲଢିବା ପରେ ଏବେ ସେମାନେ ଆଫଗାନିସ୍ତାନ ଛାଡି ଚାଲିଯାଇଛନ୍ତି। ଏହାପରେ ରବିବାର ଦିନ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ତାଲିବାନର ମୁଖପାତ୍ର ମହମ୍ମଦ ନାଏମ କହିଛନ୍ତି, “ଆଫଗାନିସ୍ତାନ ଏବଂ ମୁଜାହିଦ୍ଦିନ (ତାଲିବାନ) ପାଇଁ ଆଜି ହେଉଛି ବହୁତ ବଡ଼ ଦିନ। ୨୦ ବର୍ଷ ଧରି ତାଲିବାନ ଏଥିପାଇଁ ସଙ୍ଘର୍ଷ କରି ଆସୁଛି। ଭଗବାନଙ୍କୁ ଧନ୍ୟବାଦ, ଦେଶରେ ଆଜି ଯୁଦ୍ଧ ବିରାମ ଲାଗିଛି। ”

ଆଫଗାନିସ୍ତାନ ସେନା ସାଙ୍ଗରେ ପ୍ରାୟ ଏକ ସପ୍ତାହର ଲଢେଇ ପରେ ଶେଷରେ କାବୁଲକୁ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଛି ତାଲିବାନ। କାବୁଲକୁ କବଜା କରିବା ଅର୍ଥ ଆଫଗାନିସ୍ତାନ ଏବେ ତାଲିବାନ ନିୟନ୍ତ୍ରଣରେ। ତାଲିବାନ ପ୍ରବକ୍ତା ନାଏମ ଗୁରୁତ୍ୱାରୋପ କରିଛନ୍ତି ଯେ ତାଲିବାନ କ୍ଷମତାର ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ଚାହୁଁଛି । ସେ କହିଛନ୍ତି ଯେ ଶାରିଆ ନିୟମ ଅନୁଯାୟୀ ସଂଖ୍ୟାଲଘୁ ଏବଂ ମହିଳାଙ୍କ ଅଧିକାର ଏବଂ ସ୍ୱାଧୀନତାକୁ ତାଲିବାନ ସମ୍ମାନ କରୁଛି। ସେ କହିଛନ୍ତି ଯେ ଆମେ ସମସ୍ତ ଦେଶ ଏବଂ ସଂସ୍ଥା ସହ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜି ଅଛୁ।

ଏପଟେ ରାଜଧାନୀ କାବୁଲକୁ ତାଲିବାନ ଅକ୍ତିଆରକୁ ନେଇଥିବା ଖବର ପ୍ରକାଶ ପାଇବା ପରେ କାବୁଲରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଯାଇଛି ​​ଏବଂ ରବିବାର ରାତିରେ ସହରରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି। ସେହିପରି ତାଲିବାନ ରାଜ୍ ଆରମ୍ଭ ହେବା ପରେ ବିମାନ ବନ୍ଦର ମୁହାଁ ହୋଇଛନ୍ତି ହଜାର ହଜାର ଲୋକ । ଆଜି ହଜାର ହଜାର ଲୋକ ବିମାନବନ୍ଦରରେ ଏକତ୍ରିତ ହେବାପରେ ଟର୍ମିନାଲରେ ଗୁଳି ବିନିମୟରେ ପାଞ୍ଚ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତ ବର୍ଷଠାରୁ କତାରର ଦୋହାଠାରେ ଆଫଗାନିସ୍ତାନ ସରକାରଙ୍କ ସହ ଶାନ୍ତି ଚୁକ୍ତି କରିଆସୁଥିବା ତାଲିବାନର ମୁଖ୍ୟ ବୁଝାମଣାକାରୀ ମଲ୍ଲିକା ଅବଦୁଲ ଘାନି ବାରଦର କହିଛନ୍ତି ଯେ ତାଲିବାନ ଏକ ଇସଲାମିକ ସରକାର ଗଠନ କରିବାକୁ ଚାହୁଁଛି। ତାଲିବାନ ଆଗାମୀ ଦିନରେ ଆଫଗାନିସ୍ତାନର ଏକ ନୂତନ ଇସଲାମିକ ଏମିରେଟ୍ ଘୋଷଣା କରିବ ବୋଲି ଆଶା କରାଯାଉଛି। କାବୁଲରେ ପ୍ରବେଶ କରିବା ପରେ କୌଣସି ସାଧାରଣ ନାଗରିକ କିମ୍ବା ସମ୍ପତ୍ତି ନଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅସରଫ ଘନି ବିଳମ୍ବିତ ରାତିରେ ଫେସବୁକ୍ ପୋଷ୍ଟ କରି ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି । ଘନି କହିଛନ୍ତି, ” ସେ ଥିଲେ ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଏପରି ହେଉ ବୋଲି ସେ ଚାହାନ୍ତି ନାହିଁ । ଯଦି ସେ ଆଫଗାନିସ୍ତାନରେ ରହିଥାନ୍ତେ ତେବେ ବହୁ ସଂଖ୍ୟକ ଲୋକ ତାଲିବାନ ସହ ଲଢେଇ କରିଥାନ୍ତେ । ଏପରି ପରିସ୍ଥିତିରେ ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା । କାବୁଲ ସହର ମଧ୍ୟ ସଂପୂର୍ଣ୍ଣ ଧ୍ୱଂଶ ହୋଇଯାଇଥାନ୍ତା । ବର୍ତ୍ତମାନ ତାଲିବାନ ଜିତି ସାରିଛନ୍ତି । ତେଣୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ସମ୍ପତ୍ତି ଓ ସୁରକ୍ଷା ପାଇଁ ତାଲିବାନ ଉତ୍ତରଦାୟୀ ।

Related Posts