ମାର୍ଚ୍ଚ ମାସରେ ଆସୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ

ଚଳିତ ମାର୍ଚ୍ଚ ମାସରେ ହୋଇପାରେ ବାତ୍ୟା | ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଥିବା ବେଳେ, ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ଦେଖା ଦେଇଛି ।

ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା କଷ୍ଟକର। ବିଗତ ବର୍ଷମାନଙ୍କରେ ମଧ୍ୟ ମାର୍ଚ୍ଚରେ ସୃଷ୍ଟ କୌଣସି ଘୂର୍ଣ୍ଣିଝଡ଼ ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତ ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଯଦି ଲଘୁଚାପଟି ବାତ୍ୟାର ରୂପ ନେବ ଓ ଭାରତ ଉପକୂଳ ସ୍ପର୍ଶ କରିବ, ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ। କାରଣ ୧୯୦୧ ମସିହାଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚ‌ରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ ସୂଚନା ନେଇଛନ୍ତି। ଅବଶ୍ୟ ଏନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଡ. ପଶୁପାଳକ ବିଭିନ୍ନ ମଡେଲ ଅନୁଧ୍ୟାନ କରି କହିଛନ୍ତି ଯେ ଏନ୍‌ସିଇପି ଜିଏଫ୍‌ଏସ୍‌ ମଡେଲ ଅନୁଯାୟୀ ସମ୍ଭାବ୍ୟ ଘୂର୍ଣ୍ଣଝଡ଼ଟି ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ଭା‌ରତ ଉପକୂଳକୁ ସ୍ପର୍ଶ କରିବ ନାହିଁ। ବିଗତ କିଛି ବର୍ଷ ହେଲା ମାର୍ଚ୍ଚରେ ଭାରତରେ ବାତ୍ୟା ହୋଇନାହିଁ। ଏଣୁ ଏଥର ମଧ୍ୟ ଏହା ଭାରତରେ ସ୍ଥଳଭାଗ ନ ଛୁଇଁବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏହାର ଭାରତ ଉପକୂଳମୁହାଁ ହୋଇପାରେ। ତଥାପି ଆସନ୍ତା ୨୦ ତା‌ରିଖ ଆଡ଼କୁ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟର ପାରଦ ଏବେ ଉପରମୁହାଁ ହେବାରେ ଲାଗିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ ଦିନ ଭିତରେ ୪୦ ଡିଗ୍ରି ଛୁଇଁବ। ବଲାଙ୍ଗୀର, ସୋନପୁର, ମାଲକାନଗିରି, ବୌଦ୍ଧ, ଅନୁଗୁଳ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହର ଆକଳନ କରାଯାଉଛି। ଆସନ୍ତା ୧୦ ଦିନ ପୂର୍ବରୁ ଗରମ କମିବାର ସମ୍ଭାବନା କମ୍‌‌। ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୧୬ତାରିଖ ସୁଦ୍ଧା ଆଉ ୨ରୁ ୩ ଡିଗ୍ରି ବଢ଼ିବା ଯୋଗୁଁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ। ୧୭ତାରିଖରୁ ବଙ୍ଗେପସାଗରୀୟ ପବନ ବହିବା ହେତୁ ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରି କମି ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ବୋଲି ଡ. ପଶୁପାଳକ ସୂଚନା ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ ୧୫ ଓ ୧୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ ଅତ୍ୟଧିକ ଖରା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Related Posts