ସ୍ପଷ୍ଟ କଲେ ରାଜ୍ୟ ସରକାର : ବଢିବନି ମୂର୍ତ୍ତି ଉଚ୍ଚତା , ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବଢ଼ିବନି ମୂର୍ତ୍ତିର ଉଚ୍ଚତା। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ଉଚ୍ଚତା । ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି ଏସ୍ଆରସି। କରୋନା ପାଇଁ ଏଥର ନିରାଡ଼ମ୍ବରରେ ମା’ଙ୍କୁ ଆରାଧନା କରିବା ପାଇଁ ଅନୁରୋଧ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବାକୁ ଓଡିଶାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ସେ କହିଛନ୍ତି ଯେ ଏ ବର୍ଷଟା ଆମେ ଧର୍ଯ୍ୟର ସହ ସରକାରଙ୍କ ଗାଇଡଲାଇନକୁ ପାଳନ କରିବା । ଏଭଳି କଠିନ ସମୟରେ ଆମେ ଆଉ କିଛିଦିନ କଷ୍ଟ କରିବା । 

ସୂଚନାଯୋଗ୍ୟ ଯେ, ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ। ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଥିଲେ। ଏ ସମ୍ପର୍କରେ ରାଜ୍ୟ ସରକାର ଆଜି ପୂଜା ପାଇଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ରାଜ୍ୟ ସରକାର ବଳବତ୍ତର ରହିଛନ୍ତି। ଏହାର ଅର୍ଥ ହେଉଛି ପୂଜାରେ ମୂର୍ତ୍ତିର ଉଚ୍ଚତା ବଢ଼ିବ ନାହିଁ। 

ଅନ୍ୟପକ୍ଷରେ ଆସନ୍ତାକାଲି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ପୂରପଲ୍ଲୀ ସବୁ ଚଳଚଞ୍ଚଳ। ତେଣୁ ଏବେ ଠାରୁ ଉତ୍ସବ ମୁଖର ହେଲେଣି ପଶ୍ଚିମ ଓଡିଶାବାସୀ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଏବେ ବି କରୋନାର ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇନି । ତେଣୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ସମସ୍ତେ ନୂଆଁଖାଇ ପାଳନ କରିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ପୂଜାର୍ଚ୍ଚନା ପାଇଁ ଯଦି କେହି ମନ୍ଦିର ଯାଆନ୍ତି ତେବେ ସେଠାରେ ଅଯଥାରେ ଭିଡ ନକରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

ଏସଆରସି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ମଧ୍ୟ ଏବେ ସଂକ୍ରମଣର ତଳମୁହାଁ ହୋଇଛି । ଯେତେବେଳେ ଦ୍ୱିତୀୟ ଲହର ସମୟରେ ଲକଡାଉନ୍ ହୋଇଥିଲା ସେତେବେଳେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସେ ଅସୁବିଧା ପୁଣି ଥରେ ନ ଆସୁ ବୋଲି ସେ କହିଛନ୍ତି। ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରି ପର୍ବପର୍ବାଣୀ ପାଳନ କଲେ ସଂକ୍ରମଣ ବଢିବ ନାହିଁ ବୋଲି ଏସଆରସି କହିଛନ୍ତି ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ କେରରରେ ଓନାମ ପର୍ବ ପାଳନ ପରେ ସଂକ୍ରମଣ ଦ୍ରୁତ ଗତିରେ ବଢିଛି । ଏହା ପୂର୍ବରୁ ମଧ୍ୟ କୁମ୍ଭମେଳା ଯୋଗୁଁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଥିଲା।ତେଣୁ ପାର୍ବଣକୁ ଦୃଷ୍ଟିରେ ରଖି ସରକାର ଅଗଷ୍ଟ ୯ ତାରିଖରେ ଗାଇଡଲାଇନ୍ ଧାର୍ଯ୍ୟ କରିଥିଲେ । ଏହି ଗାଇଡଲାଇନକୁ ନେଇ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ , ସଂକ୍ରମଣ ଯେଭଳି ନ ବଢିବ ସେଥିପାଇଁ ସରକାର ଏହି ଗାଇଡଲାଇନ୍ ଆଣିଛନ୍ତି ବୋଲି ଏସଆରସି କହିଛନ୍ତି। 

Related Posts